- ଭଗବାନ ସାହୁ
ଆଜକୁ ଶହେ ବର୍ଷ ତଳେ ଉଣେଇଶହ ପଚିଶ ମସିହା ଜୁଲାଇ ମାସ ବାର ତାରିଖ ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନଗର ଉପକଣ୍ଠ ବଡ଼କୁଶସ୍ଥଳୀ ଗ୍ରାମରେ ପିତା ଗୋପିନାଥ ସାହୁ ଓ ମାତା ଇନ୍ଦୁମତିଙ୍କ ଗର୍ଭରୁ ବିଶ୍ୱନାଥ ସାହୁଙ୍କ ଜନ୍ମ । ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ପୁରୁଷୋତ୍ତମପୁର ନରସିଂହ ଦାଶ ହାଇସ୍କୁଲରେ ଛାତ୍ର ଥିବା ବେଳେ ୧୯୪୩ ମସିହା ବଙ୍ଗଳା ଦୁର୍ଭିକ୍ଷରେ ଖାଦ୍ୟାଭାବରେ ପ୍ରପୀଡିତ ଲୋକେ ଏବଂ ବର୍ମାରେ ଦାଦନ ଖଟିବାକୁ ଯାଇଥିବା ଓଡିଆ ଲୋକେ ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧ ଯୋଗୁଁ ଜୀବନ ରକ୍ଷାଲାଗି ପାଦରେ ଚାଲି ଚାଲି ଓଡିଶା ଫେରିଲେ । ଏହି ଲୋକମାନେ ଭୋକରେ ଡ଼ହଳବିକଳ ହେଉଥାନ୍ତି । ସେତେବେଳେ ଯୁଦ୍ଧ ସମୟ । ପାଖରେ ଖାଦ୍ୟ କିଣିବା ପାଇଁ ଅର୍ଥ ନଥାଏ । ତାହା ମଧ୍ୟ ଚଢ଼ା ଦାମ । ଖାଇବାକୁ ନପାଇ ଲୋକେ ରାସ୍ତା କଡ଼ରେ ପୋକମାଛି ପରି ମରୁଥାନ୍ତି । ବାଳକ ବିଶ୍ୱନାଥ ସାହୁ ସହପାଠୀ ଛାତ୍ରଙ୍କୁ ନେଇ ଦୁର୍ଭିକ୍ଷ ପ୍ରପୀଡିତ ପିଲା ଓ ଲୋକଙ୍କୁ କିଛି କିଛି ଖାଦ୍ୟ ଯୋଗାଇଥିଲେ । ଏହି ପରିସ୍ଥିତି ତାହାଙ୍କ ମନରେ ବ୍ରିଟିଶ ସରକାର ବିରୋଧୀ ଦାବାନଳ ବଢାଇଦେଇଥିଲା । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାତି ଶିକ୍ଷାବିତ୍ ସତ୍ୟବାଦୀ ମିଶ୍ରଙ୍କ ପ୍ରେରଣାରେ ସେ ଅଖିଳ ଭାରତ ଛାତ୍ର ସଂଘରେ ଯୋଗ ଦିଅନ୍ତି ଏବଂ ବ୍ରହ୍ମପୁର ଠାରେ ଜିଲ୍ଲା ଛାତ୍ର ସମ୍ମିଳନୀରେ ଛାତ୍ର ସଂଘର ଜିଲ୍ଲା ସହ-ସମ୍ପାଦକ ଓ ପରେ ଏହାର ସମ୍ପାଦକ ହେଲେ । ୧୯୪୬ ମସିହାରେ ଖଲ୍ଲିକୋଟ କଲେଜର ଛାତ୍ରଥିବା ବେଳେ ସହଯୋଗୀ ଦ୍ୟୁତିକୃଷ୍ଣ ପଣ୍ଡା, ହରିବନ୍ଧୁ ବେହେରା, ନରସିଂହ ପଣ୍ଡାଙ୍କ ସହିତ ମିଶି କଲେଜ କୋଠାରେ ଉଡୁଥିବା ବ୍ରିଟିଶ ପତାକା ୟୁନିୟନ ଜ୍ୟାକ୍କୁ ଚିରି ଫୋପାଡି ଦେଇଥିଲେ ଏବଂ ପୋଲିସ ଲାଠିମାଡରେ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଥିଲେ । ୧୯୪୬ ମସିହା ଜୁନ ଦୁଇ ତାରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇ ଖଲିକୋଟ କଲେଜରେ ପାର୍ଟିର ଶାଖା ଗଠନ କରିବାରେ ସକ୍ଷମ ହୋଇଥିଲେ ଏବଂ ୧୯୪୮ ମସିହାରେ ମୁସ୍ତାଦାରୀ ଓ ଜମିଦାରୀ ପ୍ରଥାର ବିଲୋପଲାଗି କୃଷକ ଆନ୍ଦୋଳନ ଉପରେ ତାକରଡା ଠାରେ ପୋଲିସର ଗୁଳି ଚାଳନା ଯୋଗୁଁ ହେମ ସମେତ ଛଅ ଜଣ ଶହୀଦ ହୋଇଥିଲେ ଏବଂ ବ୍ୟାପକ ଗିରଫଦାରୀକୁ ଏଡାଇବା ପାଇଁ ଅଜ୍ଞାତବାସରେ ରହିଥିବା ନେତୃସ୍ଥାନୀୟଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷାକରି କୃଷକ ଆନ୍ଦୋଳନକୁ ତେଜିଆନ କରୁଥିବା ବେଳେ ପୋଲିସ ଦ୍ୱାରା ୧୯୪୯ ମସିହାରେ ଗିରଫ ହୋଇ, କମ୍ୟୁନିଷ୍ଟ ଦଳ ଉପରୁ ବେଆଇନ କଟକଣା ଉଠାଇ ଦିଆଯିବା ପର୍ଯ୍ୟନ୍ତ କାରାଗାରରେ ରହି ସେ ୧୯୫୨ ମସିହାରେ ବ୍ରହ୍ମପୁର ଜେଲରୁ ତିନିବର୍ଷ ଚାରିମାସ ପରେ ମୁକ୍ତ ହୋଇଥିଲେ । ପାର୍ଟିର ନିର୍ଦ୍ଦେଶରେ ଭାଗଚାଷୀ ମାନଙ୍କୁ ସଂଗଠିତ କରି ଆନ୍ଦୋଳନ କରିବାରେ ବ୍ରତୀ ହୋଇଥିଲେ । ସେ ଜିଲ୍ଲା କୃଷକ ସଭାର ଦାୟୀତ୍ୱରେ ରହି ଭାଗଚାଷୀଙ୍କୁ ଜମିର ସତ୍ତ୍ୱ ପ୍ରଦାନ, ଖଜଣା ଧାର୍ଯ୍ୟ ଭାଗଚାଷ ପ୍ରଥାକୁ ବିଲୋପ, ବେଠି ପ୍ରଥାର ଉଚ୍ଛେଦ ଆଦି ଦାବୀ ଲାଗି କାର୍ଯ୍ୟ କରିଥିଲେ । କମ୍ୟୁନିଷ୍ଟ ପାର୍ଟି ଓ କୃଷକ ସଭାର ଆନ୍ଦୋଳନ ଫଳରେ ମୁସ୍ତାଦାରୀ ଓ ଜମିଦାରୀ ପ୍ରଥା ଲୋପ ହୋଇଥିଲା ଏବଂ ଭୂସଂସ୍କାର ଆଇନ ପ୍ରବର୍ତ୍ତନ ହୋଇ ଚାଷୀମାନେ ଜମିର ମାଲିକ ହୋଇପାରିଲେ, ଭାଗଚାଷୀମାନେ ବେଠି ନ ଖଟି ମଜୁରି ପାଇଲେ । ୧୯୭୭ରୁ ୧୯୮୧ ଓ ୧୯୮୧ରୁ ୧୯୮୫ ନିର୍ବାଚନରେ ଦଳପକ୍ଷରୁ ଛତ୍ରପୁର ବିଧାୟକ ଥିଲାବେଳେ ଭୂସଂସ୍କାର ଆଇନକୁ ବିଧାନସଭାରେ ଗୃହୀତ କରାଇନେବା ପାଇଁ ସହଯୋଗୀ ଦଳଙ୍କ ସହ ଯୋଗସୂତ୍ର ରଖି ସମର୍ଥନ ହାସଲ କରିିବା ଫଳରେ ତାହା ଗୃହୀତ ହୋଇପାରିଥିଲା । ସେ ଆଡ୍ଭୋକେଟ ନଥିଲେ କିନ୍ତୁ ଓକିଲାତିରେ ନୂଆଁରେ ପ୍ରବେଶ କରୁଥିବା ଆଡ୍ଭୋକେଟମାନେ ପ୍ରଥମାବସ୍ଥାରେ ଆର୍ଥିକ ଦୁଃର୍ଦ୍ଦଶା ଭୋଗ କରୁଥିବା ଅନୁଭବକରି ସେମାନଙ୍କ ମଙ୍ଗଳ ପାଇଁ ବିଧି ବ୍ୟବସ୍ଥା ଓ ଷ୍ଟାଇପେଣ୍ଡ ଦେବାଲାଗି ବିଧାନସଭାରେ ୧୯୮୧ ମସିହାରେ ଏକ ବେସରକାରୀ ବିଲ “ଆଡ୍ଭୋକେଟ୍ସ ୱେଲଫର ଫଣ୍ଡ ବିଲ ୧୯୮୧” ଆଗତ କରିଥିଲେ । ଏହାକୁ ସରକାର ଗ୍ରହଣ କରିନଥିଲେ, କିନ୍ତୁ ପରେ ସରକାର ନିଜ ପକ୍ଷରୁ ଏହି ଆଇନ ଗୃହୀତ କରାଇ ନେଇଥିଲେ । ଏବେ ମଧ୍ୟ ନୂଆଁ କରି ପ୍ରବେଶ କରୁଥିବା ଆଡ଼ଭୋକେଟ ମାନଙ୍କୁ ଷ୍ଟାଇପେଣ୍ଡ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନାହିଁ । ସେ ୧୯୫୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ଭାବେ ନିର୍ବାଚିତ ହୋଇ ଦୀର୍ଘ ୨୪ବର୍ଷ ଏହି ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଏହି ସମୟରେ ଦଳର ସଂଗଠନକୁ ଗାଁ ଗହଳରେ ଏପରି ପ୍ରସାରିତ କରିପାରି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ ଯେ ଗଞ୍ଜାମ ଜିଲ୍ଲାକୁ ‘କମ୍ୟୁନିଷ୍ଟ ଦୁର୍ଗ’ ଭାବେ ପରିଗଣିତ କରାଯାଉଥିଲା । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଓଡିଶା ବିଧାନସଭାର ୧୧ଟି ନିର୍ବାଚନ ମଧ୍ୟରୁ ୮ଟି ନିର୍ବାଚନରେ ଦଳର ପ୍ରାର୍ଥୀ ବିଜୟ ହାସଲ କରି ଦଳକୁ ଗୌରବାନ୍ୱିତ କରିପାରିଥିଲେ । ସ୍ୱଧୀନତା ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନ ସହିତ ଗଡଜାତ ଅଞ୍ଚଳର କୃଷକ ଆନ୍ଦୋଳନରେ ଯୋଗ ଦେଇଥିବା ତା’ଙ୍କ ଜୀବନର ଅବିସ୍ମରଣୀୟ ସ୍ମରକୀ ବୋଲି ସେ ବହୁବାର କରି ଆସୁଥିଲେ । ୧୯୬୯ ମସିହାରେ ପାର୍ଟିର ଡାକରାରେ ଘରୋଇ ବ୍ୟାଙ୍କ ଗୁଡିକୁ ଜାତୀୟ କରଣ କରିବା ଦାବୀ ନେଇ ଆନ୍ଦୋଳନରେ ଭାଗ ନେଇ ଭାରତୀୟ ଅଟକ ଆଇନ ବଳରେ ୯ଦିନ କାରାବରଣ କରିଥିଲେ । ଶିକ୍ଷାକୁ ପ୍ରାଥମିକତା ଦେଇ ଭାଗଚାଷୀମାନଙ୍କ ପିଲାମାନେ ଦୂରଦୂରାନ୍ତ ଯାଇ ପାଠପଢିବା ସମ୍ଭବ ନୁହେଁ ବୋଲି ବିଚାର କରି ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲା ପୁରୀ, ଗଞ୍ଜାମ, ଗଜପତି, କୋରାପୁଟର ବିଭିନ୍ନ ସ୍ଥାନରେ ୨୦ରୁ ଉର୍ଦ୍ଧ ହାଇସ୍କୁଲ, ବହୁ ମାଇନର ସ୍କୁଲ ଓ ଦୁଇଟି କଲେଜ ଓ ପୁରୁଷୋତ୍ତମପୁର ଠାରେ ହିନ୍ଦୀ ଓ ସଂସ୍କୃତ ବିଦ୍ୟାଳୟ ସ୍ଥାପନ କରିପାରିଥିଲେ । ବଡକୁଶସ୍ଥଳୀ ଗ୍ରାମ ପଞ୍ଚାୟତକୁ ଦୁଇଥର ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇ ଏହାକୁ ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ । ନିର୍ବାଚନ ହିସାବ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବାବେଳେ ଏହାର ହିସାବ ସର୍ବନିମ୍ନ ଥିବା ଦେଖି ଅଫିସରମାନେ ବ୍ୟୟ ବଢାଇ ଦର୍ଶାଇବାକୁ କହିବାରୁ ତା’ର ଉତ୍ତରରେ ସେ କହିଥିଲେ ଯେ ଯାହା ବ୍ୟୟ ହୋଇଛି, ତାର ସଠିକ ହିସାବ ଦିଆଯାଇଛି ଏବଂ ତା’ହାକୁ ବଢାଇବାର ପ୍ରଶ୍ନ ଉଠୁନାହିଁ ଏବଂ ଲୋକଙ୍କ ଠାରୁ ସଂଗୃହିତ ନିର୍ବାଚନ ପାଣ୍ଠିର ବଳକା ଅର୍ଥ ହିସାବ ସହ ରାଜ୍ୟ ପାର୍ଟିଅଫିସରେ ଦାଖଲ କରିଥିଲେ । ଏଥି ପୂର୍ବରୁ ବିଧାୟକ ଓ ସାଂସଦ ଲକ୍ଷ୍ମଣ ମହାପାତ୍ର ବଳକା ପାଣ୍ଠିକୁ ପାର୍ଟିକୁ ହସ୍ତାନ୍ତର କରିଥିବା ଦୃଷ୍ଟାନ୍ତ ରହିଛି । ସେ ଗଞ୍ଜାମ ଜିଲ୍ଲାର ପାର୍ଟି ସମ୍ପାଦକ ଓ କୃଷକ ସଭାରେ କାର୍ଯ୍ୟ କରିବା ମଧ୍ୟରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ଏପରି ସୁସଂପର୍କ ପ୍ରତିଷ୍ଠା କରିପାରିଥିଲେ ଓ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିଣିପାରିଥିଲେ ଯେ ୧୯୬୪ ମସିହାରେ କମ୍ୟୁନିଷ୍ଟ ପାର୍ଟିର ବିଭାଜନ ବେଳେ ଏବଂ ୧୯୬୯ ମସିହା ନକସଲବାଡ ଉଦ୍ବେଳନ ବେଳେ ଦଳର କୌଣସି ନେତା ବା କର୍ମୀ ଦଳ ପରିତ୍ୟାଗ କରିନଥିଲେ । ଶେଷ ଜୀବନ ପର୍ଯ୍ୟନ୍ତ ସାମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ଓ କାର୍ଯ୍ୟରତ କୃଷକ ସାଥୀ ବିଶ୍ୱାନାଥ ସାହୁଙ୍କ ଦେହାନ୍ତ ୯୧ବର୍ଷ ବୟସରେ ୨୦୧୬ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ହୋଇଗଲା ।
ଭଗବାନ ସାହୁ
ସମାଜବିଜ୍ଞାନୀ ଓ ଅଧିବକ୍ତା
ଗାନ୍ଧୀନଗର ୯ମ ସାହି ବ୍ରହ୍ମପୁର-୧
ଫୋ-୯୩୩୮୨୮୩୩୯୧