jayashree

ସଇଁତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡି ସମ୍ପର୍ଣ୍ଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡି ମହାଆଡ଼ମ୍ବର ସହ ସମ୍ପର୍ଣ୍ଣ ହୋଇଯାଇଛି । ଏହି ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡିକୁ ୨୪ ବର୍ଷରେ ପଦାର୍ପଣ କରିଛି । ଏହି ପୂଜା ଗତ ୨୫ ତାରିଖ ଦିନ ଅଧିବାସୀ ତଥା କଳସ ଶୋଭାଯାତ୍ରା ଆରମ୍ଭ ହୋଇ ୨୬ ତାରିଖ ଦିନ ମା’ ଶୈଳପୁତ୍ରୀ ଦେବୀଙ୍କ ପୂଜା ଓ ଚଣ୍ଡୀପାଠ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଥିଲା । ଏହାପରେ ଚନ୍ଦ୍ରଘଣ୍ଟା ଦେବୀ ପୂଜା, କୁଷ୍ମାଣ୍ଡା ଦେବୀଙ୍କ ପୂଜା, କାତ୍ୟାୟିନୀ ଦେବୀଙ୍କ ପୂଜା, ସପ୍ତମୀ ପୂଜା, କାଳରାତ୍ରି ଦେବୀଙ୍କ ପୂଜା, ଭାଇ ଜୁଇଁନ୍ତିଆ ଅଷ୍ଟମୀ, ମହାଅଷ୍ଟମୀ, ମହାଗୌରୀଙ୍କ ପୂଜା, ନବମୀ ସିଦ୍ଧିଦାତ୍ରୀ ଦେବୀ ପୂଜା, ଦଶହରା ପୂଜା ଓ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପଣ୍ଡିତ ରାଧାକାନ୍ତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ କର୍ତ୍ତା ଭାବରେ ଗଜାନନ୍ଦ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ମିନାଦେବୀ ଅଗ୍ରୱାଲ ପୂଜା ଦାୟିତ୍ୱ ତୁଲାଇଛନ୍ତି । ଏହାକୁ ପଣ୍ଡିତ ବିକ୍ରମ ମିଶ୍ର, ନବଘନ ଷଡ଼ଙ୍ଗୀ, କିରଣ ମିଶ୍ର, ସାଧୁଚରଣ ଦାସ, ମାନସ ମିଶ୍ର ଓ ସୁରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଛନ୍ତି । ଏହି ପୂଜା ଉପଲକ୍ଷେ ଅପେରା, ମେଲୋଡି, ଭଜନ ସମାରୋହ, ରାବଣ ପୋଡି ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏପରିକି ମା’ଙ୍କ ସନ୍ଧ୍ୟା ଆଳତୀ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ସକାଳ ସମୟରେ ମା’ଙ୍କ ଅନ୍ନ ପ୍ରସାଦ, ପୂଜାର୍ଚ୍ଚନା ଓ ହୋମଯଜ୍ଞ ଲାଗି ରହିଥିଲା । ଏହି ଅବସରରେ ସ୍ଥାନୀୟ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ ରାବଣ ପୋଡି ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା କମିଟିର ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅଗ୍ନିସର ମାଧ୍ୟମରେ ଦାହ କରିଥିଲେ । ଏହି ରାବଣ ପୋଡି ଦେଖିବା ପାଇଁ ସଇଁତଲା ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ଼ ରହିଥିଲା । ଆଇନ ଶୃଙ୍ଖଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ସଇଁତଲା ପୋଲିସ ଓ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.