- ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ପୋଷକତତ୍ତ୍ୱ ଓ ଭିଟାମିନରେ ଭରପୁର ମିଲେଟ ଜାତୀୟ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ
- ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
- ଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍ଘାଟନ କରି ରାଜ୍ୟରେ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ରେ ପରିଣତ କରାଯିବ । ଏଥିପାଇଁ ଚଳିତ ବର୍ଷ ବଜେଟ୍ରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ । ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ଭାବେ ନାମିତ କରିଛନ୍ତି । ପୁଷ୍ଟିଶସ୍ୟ ବା ଶ୍ରୀଅନ୍ନ ଜାତୀୟ ଫସଲ ଆମ ରାଜ୍ୟ କୃଷିର ଏକ ଅଭିନ୍ନ ଅଂଶବିଶେଷ । ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗରୁତ୍ୱପୂର୍ଣ୍ଣ ଅଟେ । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଶ୍ରୀଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି, ଏବଂ ଆଜି ସାରା ଓଡିଶାରେ ଶ୍ରୀଅନ୍ନ ଚାଷ ହେଉଛି । ପ୍ରାୟ ୧୭୭ ବ୍ଲକରେ ଏହି ଚାଷକୁ ସମ୍ପ୍ରସାରଣ କରାଯାଇଛି । ପୁଷ୍ଟିଶସ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ଭାବେ ମାନ୍ୟତା ପାଇଛି । ସେଥି ମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ । ଓଡିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଫସଲ ମଧ୍ୟ ବହୁଳ ଭାବେ ଚାଷ କରାଯାଉଛି । ଏହିସବୁ ପୁଷ୍ଟିଶସ୍ୟ ଗ୍ଲୁଟେନମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବହୁତ କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଧାରକ ହୋଇଥିବା ଯୋଗୁ ଏହା ମଧୁମେହ ରୋଗ ପ୍ରତିରୋଧ କରିବା ସହିତ ରକ୍ତ ଶର୍କରା ପରିଚାଳନାରେ ମଧ୍ୟ ସାହଯ୍ୟ କରିଥାଏ । ଶ୍ରୀଅନ୍ନ ଗୁଡିକ କର୍କଟ ରୋଗ, ରକ୍ତହୀନତା, ଭିଟାମିନ ‘ବି’ର ଅଭାବ ଦୂର କରିବା ଦିଗରେ ପ୍ରତିଷେଧକ ଭାବେ କାମ କରିଥାଏ । ଏହିସବୁ ଉତ୍କୃଷ୍ଟ ଗୁଣ ଯୋଗୁ ଶ୍ରୀଅନ୍ନ ଏକ ସୁପରଫୁଡର ମାନ୍ୟତା ପାଇଛି । ବର୍ତ୍ତମାନ ଆମ ସରକାର ଶ୍ରୀଅନ୍ନର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି । ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ । ମାଣ୍ଡିଆକୁ ସ୍ୱାଦିଷ୍ଟ କରିବା ପାଇଁ ନୂଆ ନୂଆ ପ୍ରକାର ବ୍ୟଞ୍ଜନ ଓ ନୂଆ ପ୍ରକାର ବ୍ୟଞ୍ଜନ ଶୈଳୀକୁ ଘରେ ଘରେ ପହଞ୍ଚାଇବା ପାଇଁ ଫୁଡ୍ ବ୍ଲଗରମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାରେ ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି । ଓଡିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି, କୋରାପୁଟ ଜିଲ୍ଲାର ରାଇମତୀ ଘୁରିଆ ଏବଂ ମୟୁରଭଞ୍ଜ ଜିଲ୍ଲାର ସୁବାଷା ମହନ୍ତ । ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି କରିବା ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଦୁଇ ମହିଳାଙ୍କୁ ଜି-୨୦ ସମ୍ମିଳନୀରେ ଶ୍ରୀଅନ୍ନ ଚାଷର ବ୍ରାଣ୍ଡ ଆମ୍ବାସଡର କରିଥିଲେ । ପୋଷକତତ୍ତ୍ୱରେ ଭରପୁର ଏହି ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର କରିବା ଦିଗରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ Best Millet Farmer ଭାବେ କଳାହାଣ୍ଡିର ସିତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗିରର ଗୋଲାପ ବିଶି, Best Custodian Farmer ଭାବେ ନୂଆପଡାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, Best Forgotten Food Champion ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ, ବରଗଡର ରେଣୁକା ଦଂଶନ, ମୟୁରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ Special Awardee ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଲୁପ୍ତ ପ୍ରାୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି । ଆମେ ଖାଉଥିବା ଖାଦ୍ୟ ଠାରୁ ଏହା ଅଧିକ ପୋଷକ ଓ ଭିଟାମିନ୍ ଯୁକ୍ତ । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ମିଲେଟ ଜାତୀୟ ଶସ୍ୟର ପୁନରୁଦ୍ଧାର ହୋଇଛି । ଆମ ସମସ୍ତଙ୍କୁ ଏହି ପୋଷକଯୁକ୍ତ ଖାଦ୍ୟକୁ ଆମ ଖାଦ୍ୟ ଶୃଙ୍ଖଳରେ ସାମିଲ କରିବାକୁ ପଡିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ବିବିଧକରଣର ଆବଶ୍ୟକତା ବଢିଛି । ଶ୍ରୀଅନ୍ନକୁ ଭବିଷ୍ୟତର ଖାଦ୍ୟ ରୂପେ ଉଲ୍ଲେଖ କରି ଆଗାମୀ ଦିନରେ ଏହାର ବହୁଳ ବ୍ୟବହାର ଦୃଷ୍ଟିରୁ ପାରମ୍ପରିକ ପଦ୍ଧତି ସହ ବୈଜ୍ଞାନିକ ଜ୍ଞାନକୈଶଳ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ, ବିସ୍ମୃତ ଏବଂ କ୍ଷୁଦ୍ର ଶସ୍ୟ ପୁନରୁଦ୍ଧାର ପାଇଁ ଏହି ସମ୍ମିଳନୀ ଏକ ସମୟପଯୋଗୀ ପଦକ୍ଷେପ । ଓଡିଶାରେ ବିବିଧ ଖାଦ୍ୟ ରୁଚି ରହିଛି । ଯାହାର ଉଦାହରଣ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଛପନଭୋଗ । ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦେଶର ଦୁଇଟି କୃଷି ଐତିହ୍ୟସ୍ଥଳ ମଧ୍ୟରେ ଓଡିଶାର କୋରାପୁଟ ସ୍ଥାନିତ ହୋଇଛି । ଅନ୍ୟଟି କେରଳ ଓଡିଶାରେ ଶ୍ରୀଅନ୍ନର ଚାଷ ଓ ସଂରକ୍ଷଣ ପାଇଁ ମହିଳା ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବହୁ ଖାଦ୍ୟଗୁଣ, ଭିଟାମିନଯୁକ୍ତ ଏହି କ୍ଷୁଦ୍ର ଶସ୍ୟ ଗୁଡିକର ପ୍ରଚାର ପ୍ରସାର ଏବଂ ବହୁଳ ବ୍ୟବହାର ପାଇଁ ସମସ୍ତେ ଶ୍ରୀଅନ୍ନ ଅଭିଯାନରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ । ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ କହିଥିଲେ ଯେ, ଗ୍ରିନ ରିଭୋଲ୍ୟୁସନ ଆସିବା ଦ୍ୱାରା ସାରା ବିଶ୍ୱରେ ଖାଦ୍ୟ ପଦାର୍ଥ ଉପରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜୈବିକ କୃଷିକୁ ପ୍ରାଧାନ୍ୟ ଦିଆଯାଉଛି । ସମଗ୍ର ବିଶ୍ୱ ଆଜି ପୋଷଣକୁ ନେଇ ଚିନ୍ତିତ ଅଛି । ମିଲେଟ ଜାତୀୟ ଫସଲ ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ମିଲେଟ ଉଭୟ ଭାରତ ଓ ଆଫ୍ରିକାରେ ଚାଷ ହୋଇଥାଏ । ଓଡିଶାରେ ମାଇନର ମିଲେଟର ଅଭିବୃଦ୍ଧି ପାଇଁ ଯାହାସବୁ ଆବଶ୍ୟକ ତାହା ରହିଛି । ଆମକୁ ଏହି ଚାଷକୁ ଆଗେଇ ନେବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ ।