ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ ଠାରେ ଆରମ୍ଭ ହେଲା ତୃତୀୟ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର ସମ୍ମିଳନୀ

  • ବାୟୋ-ଇଥ୍ରୀ ନୀତି ଦେଶରେ ଜୈବ ଉତ୍ପାଦନକୁ ଦେବ ବଡ଼ ପ୍ରୋତ୍ସାହନ : ଡିବିଟି ସଚିବ ପ୍ରଫେସର ରାଜେଶ ଏସ୍ ଗୋଖଲେ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ସ୍ଥିତ ବିଆର୍‌ଆଇସି-ଆଇଏଲ୍‌ଏସ୍‌ ପରିସରରେ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ଆଜି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା ଗବେଷଣା ଓ ନବସୃଜନ ପରିଷଦ (ବିଆର୍‌ଆଇସି) ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ରାଜେଶ ଏସ୍‌. ଗୋଖଲେ ଏହାକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ବକ୍ତବ୍ୟ ରଖି ପ୍ରଫେସର ଗୋଖଲେ ନିକଟରେ ଅଣାଯାଇଥିବା ବାୟୋ-ଇଥ୍ରୀ ନୀତି (ଅର୍ଥବ୍ୟବସ୍ଥା, ନିଯୁକ୍ତି ଓ ପରିବେଶ ପାଇଁ ଅର୍ଥବ୍ୟବସ୍ଥା) ଏବଂ ବାୟୋ-ରାଇଡର (ଜୈବ ପ୍ରଯୁକ୍ତି ବିଦ୍ୟା ଗବେଷଣା ଉଦ୍ଭାବନ ଓ ଉଦ୍ୟମିତା ବିକାଶ) ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁର କରିବା ବିଷୟରେ ଅବତାରଣା କରିଥିଲେ । ଏସବୁ ନୀତି ଓ ଯୋଜନାଗୁଡ଼ିକ ଭାରତରେ ଜୈବ ଉତ୍ପାଦନକୁ ବ୍ୟାପକ ପ୍ରୋତ୍ସାହନ ଦେବ ଏବଂ ୨୦୩୦ ସୁଦ୍ଧା ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାରେ ୪-୬ ପ୍ରତିଶତ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ବୋଲି ସେ କହିଥିଲେ । ପ୍ରଫେସର ଗୋଖଲେ ଆହୁରି କହିଥିଲେ, ନୂଆ ବାୟୋ-ଇଥ୍ରୀ ନୀତି ଅଧୀନରେ ୬ଟି ମଧ୍ୟରୁ ୫ଟି ବିଷୟବସ୍ତୁ କ୍ଷେତ୍ରରେ ବିଆର୍‌ଆଇସି-ଆଇଏଲ୍‌ଏସ୍‌ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ଏଥିରେ ସାମିଲ ରହିଛି: (୧) ଉଚ୍ଚ-ମୂଲ୍ୟଯୁକ୍ତ ଜୈବ-ଆଧାରିତ ରାସାୟନିକ, ବାୟୋପଲିପର୍ସ ଓ ଏଞ୍ଜାଇମ୍ସ, (୨) ସ୍ମାର୍ଟପ୍ରୋଟିନ୍ ଓ ଫଙ୍କସନାଲ୍ ଫୁଡ୍ସ, (୩) ସଠିକ୍ ବାୟୋଥେରାପିକ୍ସ, (୪) ଜଳବାୟୁ ସହନସୀଳ କୃଷି ଏବଂ (୫) ସାମୁଦ୍ରିକ ଓ ମହାକାଶ ଗବେଷଣା । ବିଆର୍‌ଆଇସି-ଆଇଏଲ୍‌ଏସ୍ ଭୂବିଜ୍ଞାନ ମନ୍ତ୍ରଣାଳୟର ପାଣ୍ଠି ସହାୟତାରେ ଗଭୀର ସାଗର ମିଶନ ପ୍ରକଳ୍ପ ଆରମ୍ଭ କରିଛି । ନୂଆ ନୀତିର ଲକ୍ଷ୍ୟ ହାସଲ କରିବା ଲାଗି ବିଆରଆଇସି-ଆଇଏସଲ ବିଭିନ୍ନ ମନ୍ତ୍ରଣାଳୟ ବିଭିନ୍ନ ମନ୍ତ୍ରଣାଳୟ ସହିତ ସହଭାଗିତା ସ୍ଥାପନ କରିଥିବାରୁ ଡକ୍ଟର ଗୋଖଲେ ଖୁସି ବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୈବଉତ୍ପାଦନ ଏବଂ ଜୈବଏଆଇ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସେ ନିଜର ସମର୍ଥନ ବ୍ୟକ୍ତ କରିଥିଲେ । ଏ ସମ୍ପର୍କରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଭେଟିସାରିଛନ୍ତି । ଅତ୍ୟାଧୁନିକ ଜୈବପ୍ରଯୁକ୍ତି ଗବେଷଣା ପାଇଁ ବିଆର୍‌ଆଇସି-ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟରରେ ସମସ୍ତ ଅତ୍ୟାଧୁନିକ ଉପକରଣ ଓ ଭିତ୍ତିଭୂମି ସୁବିଧା ରହିଛି ଏବଂ ଏହା ଶସ୍ତା ଓ ସୁଲଭ ଉତ୍ପାଦ ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି ଆଇଏଲ୍ଏସ୍‌ର ନିର୍ଦ୍ଦେଶକ ଡ. ଦେବାଶିଷ ଦାଶ ଉଲ୍ଲେଖ କରିଛନ୍ତି । ସାମ୍ପ୍ରତିକ ସମୟରେ ବିଆର୍‌ଆଇସି -ଆଇଏଲ୍ଏସ୍ ଦ୍ୱାରା ପ୍ରୋତ୍ସାହିତ ଉଦ୍ଭାବନ ଇକୋସିଷ୍ଟମ କୃଷି, ସ୍ୱାସ୍ଥ୍ୟସେବା, ପରିବେଶ ପରିଚାଳନା, ଉପକରଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଉତ୍ପାଦ ଏବଂ ପ୍ରକ୍ରିୟାର ବିକାଶ ପାଇଁ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହୋଇଛି । ଦୃଢ଼ ବୈଜ୍ଞାନିକ ଆଧାର ଏବଂ ଭିତ୍ତିଭୂମି ସହିତ ଆଇଏଲ୍ଏସ୍ ଏହି ଅଞ୍ଚଳରେ ଷ୍ଟାର୍ଟଅପ୍ ପାଇଁ ଇକୋସିଷ୍ଟମର ବିକାଶ ଏବଂ ସେଗୁଡ଼ିକୁ ସକ୍ଷମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ ପ୍ରକାଶ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର ଜୈବପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀଙ୍କ ପାଇଁ ଏକ ଅଭିନବ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସୁଯୋଗ ବିଷୟରେ କହିଥିଲେ । ରାଜ୍ୟର ଉଦ୍ୟୋଗ ଓ ଉଦ୍ଭାବନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଓଡ଼ିଶାକୁ ବାୟୋଟେକ୍ନୋଲୋଜି ହବରେ ପରିଣତ କରିବା ପାଇଁ ବିଆର୍‌ଆଇସି -ଆଇଏଲ୍ଏସ୍ ସହ ମିଶି କାର୍ଯ୍ୟ କରିବାକୁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ବକ୍ତାମାନେ ଯୁବ ଗବେଷକ ଓ ଅଧ୍ୟାପକମାନଙ୍କୁ ଗବେଷଣା ଚିନ୍ତାଧାରାକୁ ବ୍ୟବସାୟିକ ସୁଯୋଗରେ ପରିଣତ କରିବା ପାଇଁ ବିପୁଳ ସୁଯୋଗର ଫାଇଦା ଉଠାଇବାକୁ ଅନୁରୋଧ କରିଥିଲେ । ସେମାନେ ଜୈବପ୍ରଯୁକ୍ତି କ୍ଷେତ୍ରରେ ଅନେକ ସଫଳ ଉଦ୍ୟୋଗୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଓଡ଼ିଶା ଏହି କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳି ଭାବେ ଉଭା ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠା ପଟେଲ ଏବଂ ୱିଶଫିଟ୍ ୱେଲନେସ୍ ପ୍ରଡକ୍ଟ ଅଧୀନରେ ସାଇଲି ୱେଲନେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସହ ପ୍ରତିଷ୍ଠାତା ଅମିତ କୁମାର ସାହୁଙ୍କ ଦ୍ୱାରା ବିକଶିତ ଉଦ୍ଭିଦ ଭିତ୍ତିକ ପ୍ରୋଟିନ୍ ପାଉଡର ଉନ୍ମୋଚନ କରାଯାଇଥିଲା । ଏଗୁଡ଼ିକୁ ବିଆର୍‌ଆଇସି -ଆଇଏଲ୍ଏସ୍ ବାୟୋ ଇନ୍‌କ୍ୟୁବେଟରରେ ରଖାଯାଇଛି । ବିଆର୍‌ଆଇସି-ଆଇଏଲ୍ଏସ୍ ବାୟୋ ଇନ୍‌କ୍ୟୁବେଟରର ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ନିବେଦିତା ଜେନା ଓ ବ୍ରିକ୍-ଆଇଏଲ୍ଏସ୍‌ର ବରିଷ୍ଠ ବୈଜ୍ଞାନିକ ଡ. ମାମୁନି ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ଷ୍ଟାର୍ଟଅପ୍, ଉଦ୍ୟୋଗୀ, ଉଦ୍ଭାବକ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏକତ୍ରିତ ହୋଇ ବିଭିନ୍ନ ବିଷୟରେ ବିଚାରବିମର୍ଶ କରିବେ । ଏହି କାର୍ଯ୍ୟକ୍ରମରେ ଅଧିବେଶନଗୁଡ଼ିକରେ ନିମ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ :

  • ବାୟୋ-ଇଥ୍ରୀ ପଲିସି ବ୍ୟବହାର କରି ଭାରତୀୟ ବାୟୋଟେକ୍ ଇକୋସିଷ୍ଟମରେ ଥିବା ବ୍ୟବଧାନକୁ ଦୂର କରିବା
  • ବାୟୋ ଏଆଇ ଗବେଷଣା : ସୁଯୋଗ ଏବଂ ଆହ୍ୱାନ
  • ବାୟୋଟେକ୍ନୋଲୋଜି ଗବେଷଣା ଏବଂ ବିକାଶ କ୍ଷେତ୍ରରେ ରଣନୈତିକ ସହଯୋଗ
  • ଜୈବ – ସ୍ଥାୟୀ ଖାଦ୍ୟ ଶୃଙ୍ଖଳା
  • ନିକଟରେ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିବା ଉଦ୍ଭାବକ ଏବଂ ଉଦ୍ୟୋଗୀମାନେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ କିପରି ସହାୟକ ଏବଂ ଜୀବନ୍ତ କରିବା ପାଇଁ ଉନ୍ନତ କରାଯାଇପାରିବ ସେ ବିଷୟରେ କହିଥିଲେ ।
    ସୂଚନାଯୋଗ୍ୟ ଜୀବନ ବିଜ୍ଞାନ ଷ୍ଟାର୍ଟଅପ୍ ସମ୍ମିଳନୀ ହେଉଛି ଭାରତ ସରକାରଙ୍କ ଜୈବପ୍ରଯୁକ୍ତି ବିଭାଗ ଓ ବିଆଇଆର୍‌ଏସି ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ସହଯୋଗରେ ବ୍ରିକ୍-ଆଇଏଲ୍ଏସ୍ ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ । ଚଳିତ ବର୍ଷ ଏହାର ତୃତୀୟ ସଂସ୍କରଣ ଆୟୋଜନ କରାଯାଉଛି ।
Leave A Reply

Your email address will not be published.