ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଉରକେଲା ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ସେକ୍ଟର-୫ ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମଞ୍ଚରେ ଥିବା ବିଜେଡି ନେତାଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ବରିଷ୍ଠ ନେତା ବିରେନ ସେନାପତି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଇତି ମଧ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚୋରି, ଡକାୟତି, ଡ୍ରଗ୍ସ କାରବାର, ଅସାମାଜିକଙ୍କ ଦୌରାତ୍ମ୍ୟ, ବେଆଇନ ସ୍କ୍ରାପ, ସଟ୍ଟା ବେପାର ଇତ୍ୟାଦି ବୃଦ୍ଧି ପାଇଥିବା ବେଳେ ଗୋଟିଏ ସପ୍ତାହରେ ଦୁଇଟି ଗଣଦୁଷ୍କର୍ମ, ନରହତ୍ୟା ଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏପରିକି ଜଣେ ମହିଳା କନେଷ୍ଟବଳ ଥାନାରେ ଥାନା ଅଧିକାରୀଙ୍କ ଅସଦାଚରଣର ଶିକାର ଘଟଣା ଲୋକଲୋଚନକୁ ଆସିଛି । ସେହିପରି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସମ୍ମୁଖ ରାଜରାସ୍ତାରେ ସ୍ପଷ୍ଟ ଦିବାଲୋକରେ ମଦ୍ୟପ ମାନେ ମଦ୍ୟ ପାନ କରି ସାଧାରଣ ଲୋକଙ୍କ ସୁରକ୍ଷିତ ଯାତାୟତରେ ବାଧା ସୃଷ୍ଟି କରୁଛନ୍ତି । ପୁଲିସର ଢିଲାପଣ ଯୋଗୁଁ ନିଶାଗ୍ରସ୍ତ ମାନେ ରାଜରାସ୍ତାରେ ଆତଙ୍କ ମଚାଉଛନ୍ତି । ଏହି ସବୁ ଘଟଣା ସହର ଲୋକଙ୍କ ମଧ୍ୟରେ ସେମାନଙ୍କ ଧନଜୀବନକୁ ନେଇ ଏକ ଅସୁରକ୍ଷିତ ଭାବନା ସୃଷ୍ଟି କରୁଛି । ତେଣୁ ଏହି ପରିପ୍ରେକ୍ଷୀରେ ରାଉରକେଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁନିୟନ୍ତ୍ରିତ ଓ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ନାୟକ ଦାବି କରିଛନ୍ତି । ଅନ୍ୟଥା ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗଗନ ପଣ୍ଡା, ଜୟନ୍ତ ମିଶ୍ର, ଆନନ୍ଦ ଚନ୍ଦ୍ର ମହାନ୍ତି, ହାଲୁ ମୁଣ୍ଡାରୀ, ରଶ୍ମିବାଳା ମିଶ୍ର, ପ୍ରଶାନ୍ତ ସେଠୀ, ଜ୍ୟୋସ୍ନା ନାୟକ, ସୁଶାନ୍ତ ରାଉତ, ଛବି ମହାନ୍ତି, ସଞ୍ଜୀବ ଛୋଟରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ସୂଚନାଯୋଗ୍ୟ ଯେ, ଆଜି ବିଜେଡି ବରିଷ୍ଠ ନାଗରିକଙ୍କୁ ନେଇ ଏ ସମ୍ପର୍କରେ ଏସ୍‌ପିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଣାପାଣି ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ସୁରେନ୍ଦ୍ର ରାଉତ, ଆଲୋକ ବୋଷ, ରାଜକିଶୋର ମିଶ୍ର, ଓମ୍ ପ୍ରକାଶ ସାଇ, ଶ୍ରୀଚରଣ ମହାନ୍ତି, ଦିଲ୍ଲୀପ ପୁହାଣ, ଜୟଶ୍ରୀ ପାଣିଗ୍ରାହୀ, ଦିଲ୍ଲୀପ ମହାନ୍ତି, ଧୀରେନ ଗଡ଼ନାୟକ, ସଞ୍ଜୟ ବାବୁଟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.