ନୂଆଦିଲ୍ଲୀରେ ପାରମ୍ପରିକ ଚିକିତ୍ସା ଉପରେ ଦ୍ୱିତୀୟ ଡବ୍ଲୁଏଚଓ ବିଶ୍ୱସ୍ତରୀୟ ସମ୍ମିଳନୀର ସହ-ଆୟୋଜନ କରିବ ଭାରତ

ଭୁବନେଶ୍ୱର, (ପିଆଇବି) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହଯୋଗରେ ଭାରତ ଆସନ୍ତା ଡିସେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ଦ୍ୱିତୀୟ ଡବ୍ଲୁଏଚଓ ବିଶ୍ୱସ୍ତରୀୟ ସମ୍ମିଳନୀର ସହ-ଆୟୋଜନ କରିବ । ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ନବସୃଜନ, ପ୍ରମାଣ-ଆଧାରିତ ଅଭ୍ୟାସ ଏବଂ ଭବିଷ୍ୟତ ରଣନୀତି ଉପରେ ବିଚାର-ବିମର୍ଶ କରିବା ପାଇଁ ଏହି ସମ୍ମିଳନୀରେ ବିଶ୍ୱ ନେତୃବର୍ଗ, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ । ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ୟୁନାନୀ ଚିକିତ୍ସା ପରିଷଦ (ସିସିଆରୟୁଏମ) ଅଧୀନ ଭଦ୍ରକସ୍ଥିତ ଆଞ୍ଚଳିକ ୟୁନାନି ଚିକିତ୍ସା ଗବେଷଣା ପ୍ରତିଷ୍ଠାନ (ଆରଆରଆଇୟୁଏମ) ଆଜି ଏହି ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମାଣ-ଆଧାରିତ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆଗକୁ ବଢାଇବାରେ ଭାରତର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଗବେଷଣା ଅଧିକାରୀ ଡକ୍ଟର ଅଖତର ହୁସେନ ଜମାଲି ସ୍ୱାଗତ ଭାଷଣ ଦେଇ ଡବ୍ଲୁଏଚଓ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଭାରପ୍ରାପ୍ତ ଗବେଷଣା ଅଧିକାରୀ ଡକ୍ଟର କିଶୋର କୁମାର ଆନୁଷ୍ଠାନିକ ଭାବେ ଡବ୍ଲୁଏଚଓ ସମ୍ମିଳନୀ ବିଷୟରେ ସୂଚନା ଦେଇଥିଲେ । ପ୍ୟାନେଲ ସଦସ୍ୟମାନଙ୍କ ସହିତ ଏକ ସଂକ୍ଷିପ୍ତ ଗଣମାଧ୍ୟମ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବି ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା କହିଥିଲେ, ବିଶ୍ୱସ୍ତରରେ ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରଚାରପ୍ରସାର ଲାଗି ଗଣମାଧ୍ୟମ ସହଯୋଗର ଆବଶ୍ୟକତା ରହିଛି । ଆରଆରଆଇୟୁଏମ ୟୁନାନି ଗବେଷଣାକୁ ସୁଦୃଢ଼ କରିବା ଏବଂ ବିଶ୍ୱ ପାରମ୍ପରିକ ଔଷଧ ପଦକ୍ଷେପରେ ଯୋଗଦାନ ଦେବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।

Leave A Reply

Your email address will not be published.