ସୁନ୍ଦରଗଡ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଜିଲ୍ଲା ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ନୀଳମାଧବ ବିଦ୍ୟାମନ୍ଦିର ପରିସରରେ ସୁନ୍ଦରଗଡ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ଉପସଭାପତି ମୀନକେତନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମିଳିତ ମଞ୍ଚର ଆବାହକ ତଥା ଜିଲ୍ଲା ଓଷ୍ଟାର ସମ୍ପାଦକ ସନ୍ତୋଷ କୁମାର ନାୟକ ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନୁଦାନରୁ ବଞ୍ଚିତ ୧୯୪ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ପୁରୁଣା ବ୍ୟବସ୍ଥା ଅନୁସାରେ ପେନସନ ପ୍ରଦାନ ଓ ଅବସର ବୟସ ୬୨ ବର୍ଷ ପ୍ରଭୃତି ଦାବି ବାବଦରେ ଆଲୋଚନା ହୋଇଥିଲା । ଏହି ଦାବି ହାସଲ ପାଇଁ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ହେଉଥିବା ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିତ୍ୟାନନ୍ଦ ବେହେରା, ପୂର୍ବତନ ସଦସ୍ୟ ରମାକାନ୍ତ ମଲ୍ଲିକ, ରାଉରକେଲା ସିଟି ଜୋନର ସଭାପତି ଶିଶିର ପାଣି, ସମ୍ପାଦକ ପ୍ରଫୁଲ୍ଲ ସ୍ୱାଇଁ,ବିଶ୍ରା ବ୍ଲକ ସମ୍ପାଦକ ହୃଷୀକେଶ ନାୟକ, ଲାଠିକଟା ସମ୍ପାଦକ ଅମୂଲ୍ୟ ସାମଲ, ଲୋକନାଥ ପ୍ରଧାନ, ଅଭିମନ୍ୟୁ ବାରିକ୍, ସୁଦର୍ଶନ ଦାସ ପ୍ରଭୃତି ନିଜର ବକ୍ତବ୍ୟ ରଖିଥିଲେ । ମିଳିତ ମଂଚର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ଶିଶିର କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.