- ମୋଦି ସରକାରଙ୍କ ନୂତନ ଶ୍ରମ କୋର୍ଡ ଶ୍ରମିକ ଶ୍ରେଣୀକୁ ଗୋଲାମୀ ମଧ୍ୟକୁ ଠେଲିଦେବ – ବିଷ୍ଣୁ ମହାନ୍ତି
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୭ମ ସୁନ୍ଦରଗଡ଼ ଜିଲ୍ଲା ସାଂଗଠନିକ ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର -୧୬ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ସଂଗଠନର ଲାଲ୍ ପତାକା ଉଉୋଳନ କରିଥିଲେ ସିଆଇଟିୟୁ ଜିଲ୍ଲା ସଭାପତି ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି । ସେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଗତ ନଭେମ୍ବର ୨୧ ତାରିଖରେ ମୋଦି ସରକାର ଦେଶର ଶ୍ରମିକ ଶ୍ରେଣୀ ପାଇଁ ପୁଣି ଏକ କଳା ଯୁଗ ୪ଟି ଶ୍ରମ କୋର୍ଡ ଲାଗୁ କରି ଆଣିଛନ୍ତି । ଶ୍ରମିକ ଶ୍ରେଣୀ ଦେଶ ସ୍ଵାଧୀନତା ପୂର୍ବରୁ ଓ ପରେ ଅନେକ ରକ୍ତକ୍ଷୟୀ ସଂଗ୍ରାମ କରି ବିଭିନ୍ନ ଶ୍ରମ ଆଇନ ପ୍ରଣୟନ କରାଇଥିଲେ କିନ୍ତୁ ସମସ୍ତ ଆଇନ ଗୁଡ଼ିକୁ ମୋଦି ସରକାର ଦେଶର କରୋନା କାଳରେ ପାର୍ଲିଆମେଣ୍ଟରେ ପାସ୍ କରାଇଥିଲେ କିନ୍ତୁ ଦେଶର ଶ୍ରମିକ ଓ ଟ୍ରେଡ ୟୁନିୟନ ମାନେ ରାଜରାସ୍ତାରେ ଆନ୍ଦୋଳନ ଯୋଗୁଁ ତାକୁ ଅଟକାଇ ଥିଲେ । ଗତ ନଭେମ୍ବର ୨୧ ତାରିଖରେ ଏହି କଳା ଶ୍ରମ କୋର୍ଡକୁ ଲାଗୁ କରି ଦେଶର ଶ୍ରମିକ ଶ୍ରେଣୀକୁ ଗୋଲାମୀ ମଧ୍ୟକୁ ଠେଲି ଦେଇଛନ୍ତି । ଏହି କୋର୍ଡରେ ଦୈନିକ କାର୍ଯ୍ୟଦିବସ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା କରାଯାଇଥିଲା ବେଳେ ମହିଳା ମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯିବ ଓ ଟ୍ରେଡ ୟୁନିୟନ କରିବାର ଅଧିକାରକୁ ଶ୍ରମିକ ଶ୍ରେଣୀ ଠାରେ ବହୁ ଚତୁରତାର ସହିତ ଛଡ଼ାଇ ନିଆଯାଉଛି । ଏହା ବିରୁଦ୍ଧରେ ଆଗାମୀ ଦିନରେ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ଶ୍ରମିକ ଶ୍ରେଣୀ ଏକ ହେବାକୁ ଆହ୍ୱାନ କରିଥିଲେ । ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଜିଲ୍ଲା ଉପସଭାପତି ମାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ସମ୍ମିଳନୀରେ ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ । ଜିଲ୍ଲାର ବିଭିନ୍ନ ଉଦ୍ୟୋଗ ଇସ୍ପାତ, ଠିକା, ଖଣି, ନିର୍ମାଣ, ପରିବହନ, ଆଶା, ଅଙ୍ଗନବାଡି, କୋଇଲା, ଶିଳ୍ପ ଶ୍ରମିକ ନେତୃତ୍ୱ ମାନେ ସାଧାରଣ ସମ୍ପାଦକଙ୍କ ଦ୍ଵାରା ଆଗତ ଚିଠା ରିପୋର୍ଟ ଉପରେ ମତାମତ ରଖି ଆଗାମୀ ଦିନରେ ସଂଗଠନକୁ ମଜବୁତ କରିବା ସହିତ ସରକାରଙ୍କ ଜନ ବିରୋଧି ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ପାଇଁ ପ୍ରସ୍ତାବ ରଖିଥିଲେ । ସମ୍ମିଳନୀରେ ଶ୍ରମ କୋର୍ଡ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ପାଇଁ ଜାହାଙ୍ଗୀର ଅଲ୍ଲୀ ପ୍ରସ୍ତାବ ରଖିଥିଲା ବେଳେ ହୃଦୟାନନ୍ଦ ଯାଦବ ସମର୍ଥନ କରିଥିଲେ । ଖଣି ଓ ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ରଖିଥିଲେ ପ୍ରମୋଦ ସାମଲ ଓ ତାକୁ ସମର୍ଥନ କରିଥିଲେ ପ୍ରଭାତ ପଣ୍ଡା । ଦରଦାମ ବୃଦ୍ଧି ଓ ବେକାରୀ ବିରୁଦ୍ଧରେ ପ୍ରସ୍ତାବ ରଖିଥିଲେ ରାଜ କିଶୋର ପ୍ରଧାନ ଓ ସମର୍ଥନ କରିଥିଲେ ଅଜୟ ଶର୍ମା । ମହିଳା ମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ନୋଟିଫିକେସନ ବିରୋଧରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ରଖିଥିଲେ ତାଜମୁନ ନେହାର ଓ ସମର୍ଥନ କରିଥିଲେ ଶକୁନ୍ତଳା ମହାକୁଡ଼ । ସାଂପ୍ରଦାୟିକତାବାଦ ବିରୋଧରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ରଖିଥିଲେ ଶ୍ରୀମନ୍ତ ବେହେରା ଓ ସମର୍ଥନ କରିଥିଲେ ବି ପି ମହାପାତ୍ର । ଶେଷରେ ଆଗାମୀ ୩ ବର୍ଷ ପାଇଁ ଏକ ୪୬ ଜଣିଆ ଜିଲ୍ଲା କର୍ମକର୍ତ୍ତା ଓ ୫୧ ଜଣିଆ କାର୍ଯ୍ୟକାରୀ କମିଟି କମିଟି ନିର୍ବାଚିତ କରାଯାଇଥିଲା । ସଭାପତି ଭାବେ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସାଧାରଣ ସମ୍ପାଦକ ବିମାନ ମାଇତି ଓ କୋଷାଧ୍ୟକ୍ଷ ଜାହାଙ୍ଗୀର ଅଲ୍ଲୀ ରହିଥିଲା ବେଳେ ଉପ ସଭାପତି ଭାବରେ ପ୍ରମୋଦ ସାମଲ, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ସୁରେନ୍ଦ୍ର ଦାଶ, ପ୍ରଭାତ ପଣ୍ଡା, ବି ପି ମହାପାତ୍ର, ଅଜୟ ଶର୍ମା, ସୁଶିଳା ମୁଣ୍ଡା, ହୃଦୟାନନ୍ଦ ଯାଦବ, ଯଯାତି କେଶରୀ ସାହୁ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଆନନ୍ଦ ମାସି ହରୋ, ରାଜ କିଶୋର ପ୍ରଧାନ ସୁରେଶ ମୁଦାଲି,ସାରାନି ସୁରିନ୍, ତାଜମୁନ ନେହାର, ଅକ୍ଷୟ ମହାନ୍ତ, ଅରୁ ଦାସ, ଅଟଳ ସ୍ୱାଇଁ, ଶକୁନ୍ତଳା ମହାକୁଡ଼, ଦିବାକର ମହାରଣା, ରତ୍ନାକର ନାୟକ, ସହଦେବ ନାଏକ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିନୟ ବେହୁରିଆ, ବିଶ୍ଵଜିତ ମାଝୀ, ବଛିରାମ ବେହେରା, ସୁରେନ୍ଦ୍ର ମହାନ୍ତି, ଅଜିତ ଏକ୍କା, ଅଶୋକ ସାମଲ, ଏନ୍ ଏନ୍ ପାଣିଗ୍ରାହୀ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସଂପାଦକ ଭାବେ କ୍ଷିରୋଦ ବେହେରା, ରଂଜନ ବେହେରା, ସମ୍ବିତ ସ୍ୱାଇଁ, ଗୋପୀ ମହାନ୍ତ, ସୁଦର୍ଶନ ପାତ୍ର, ଅଜିତ ଦାସ, ଉପେନ୍ଦ୍ର ତ୍ରିପାଠୀ, ଆଶୁତୋଷ ସିହ୍ନା, ପ୍ରଦୀପ ସେଠୀ, ଯଜ୍ଞେଶ୍ଵର ସାହୁ, ରମିଲା ସାଏ, ବିଶ୍ଵନାଥ ଲେଙ୍କା ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୫୧ ଜଣ ନେତୃତ୍ୱ କାର୍ଯ୍ୟକାରୀ କମିଟି ସାମିଲ ହୋଇଥିଲେ । ଆଗାମୀ ୧୨ରୁ ୧୪ ତାରିଖ ତିନି ଦିନ ଧରି ସିଆଇଟିୟୁ ରାଜ୍ୟ ସମ୍ମିଳନୀ ପାରାଦୀପ ଠାରେ ଅନୁଷ୍ଠିତ ହେବାକୁ ଥିଲାବେଳେ ଏହାକୁ ସଫଳ କରିବାକୁ ଆହ୍ୱାନ କରାଯାଇଥିଲା ।