
ମହାମହିମ ରାଷ୍ଟ୍ରପତି ଦିଶାନାୟକ ଜୀ,
ଉଭୟ ଦେଶର ପ୍ରତିନିଧି,
ଗଣମାଧ୍ୟମର ବନ୍ଧୁମାନେ,
ନମସ୍କାର
ଆୟୁବୋୱାନ
ୱନକ୍କମ
ଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା ‘ଶ୍ରୀଲଙ୍କା ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏହି ପୁରସ୍କାର କେବଳ ମୋତେ ସମ୍ମାନିତ କରି ନାହିଁ, ବରଂ ୧୪୦ କୋଟି ଭାରତୀୟଙ୍କୁ ସମ୍ମାନିତ କରିଛି । ଏହା ଏକ ଶ୍ରଦ୍ଧାଞ୍ଜଳି । ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରିଛି । ଏହି ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତି, ଶ୍ରୀଲଙ୍କା ସରକାର ଏବଂ ଶ୍ରୀଲଙ୍କାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ଭାବରେ ଏହା ମୋର ଚତୁର୍ଥ ଶ୍ରୀଲଙ୍କା ଗସ୍ତ । ୨୦୧୯ରେ ମୋର ପୂର୍ବ ଗସ୍ତ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ହୋଇଥିଲା । ସେତେବେଳେ ମୋର ଦୃଢ଼ ବିଶ୍ୱାସ ଥିଲା ଯେ ଶ୍ରୀଲଙ୍କା ଆଗକୁ ବଢ଼ିବ ଓ ଶକ୍ତିଶାଳୀ ହେବ ।
ମୁଁ ଶ୍ରୀଲଙ୍କାବାସୀଙ୍କ ସାହସ ଏବଂ ଧୈର୍ଯ୍ୟକୁ ପ୍ରଶଂସା କରୁଛି । ଆଜି, ମୁଁ ଶ୍ରୀଲଙ୍କାକୁ ପ୍ରଗତି ପଥରେ ଅଗ୍ରସର ହେଉଥିବାର ଦେଖି ଅତ୍ୟନ୍ତ ଖୁସି ଅନୁଭବ କରୁଛି । ଭାରତ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ଆମେ ଏକ ପ୍ରକୃତ ପଡ଼ୋଶୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିଛୁ । ୨୦୧୯ର ଆତଙ୍କବାଦୀ ଆକ୍ରମଣ ହେଉ, କୋଭିଡ୍ ମହାମାରୀ ହେଉ, କିମ୍ବା ସାମ୍ପ୍ରତିକ ଅର୍ଥନୈତିକ ସଙ୍କଟ ହେଉ ପ୍ରତ୍ୟେକ ଅସୁବିଧା ସମୟରେ ଆମେ ଦୃଢ଼ ଭାବରେ ଶ୍ରୀଲଙ୍କାବାସୀଙ୍କ ସହିତ ଠିଆ ହୋଇଛୁ ।
ମୋର ମହାନ ତାମିଲ ସନ୍ଥ ଥିରୁଭାଲ୍ଲୁଭରଙ୍କ କଥା ମନେ ପଡୁଛି । ସେ କହିଥିଲେ :
ସେୟାର କରିଆ ୟାବୁଲ
ନଟ ପିଣ
ଆଦୁ ପୁଲ
ବିଣେକ୍କରିୟ ୟାବୁଲ କାପୁ
ଅର୍ଥାତ୍ ଆହ୍ୱାନ ଓ ଶତ୍ରୁଙ୍କ ବିରୋଧରେ ଜଣେ ପ୍ରକୃତ ବନ୍ଧୁ ଏବଂ ତାର ବନ୍ଧୁତାର ଢାଲଠାରୁ ଅଧିକ ଶକ୍ତିଶାଳୀ ଆଉ କିଛି ନାହିଁ ।
ବନ୍ଧୁଗଣ
ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଦିଶାନାୟକ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଥିଲେ । ତାଙ୍କର ପ୍ରଥମ ବିଦେଶୀ ଅତିଥି ହେବାର ସୌଭାଗ୍ୟ ମୋତେ ମିଳିଛି । ଏହା ଆମର ବିଶେଷ ସମ୍ପର୍କର ଗଭୀରତାର ପ୍ରତୀକ ।
ଆମର ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ ‘ମହାସାଗର’ ଦୁଇଟିଯାକରେ ଶ୍ରୀଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗତ ଚାରି ମାସ ମଧ୍ୟରେ, ରାଷ୍ଟ୍ରପତି ଦିଶାନାୟକଙ୍କ ଭାରତ ଗସ୍ତ ପରଠାରୁ ଆମେ ସହଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛୁ ।
ସାମପୁର ସୌର ଶକ୍ତି ପ୍ଲାଣ୍ଟ ଶ୍ରୀଲଙ୍କାକୁ ଶକ୍ତି ନିରାପତ୍ତା ହାସଲ କରିବାରେ ସାହାଯ୍ୟ କରିବ। ଏକ ମଲ୍ଟି-ପ୍ରଡକ୍ଟ ପାଇପଲାଇନ ନିର୍ମାଣ କରିବା ଏବଂ ତ୍ରିଙ୍କୋମାଲିକୁ ଏକ ଶକ୍ତି କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ତା’ର ଲାଭ ସମସ୍ତ ଶ୍ରୀଲଙ୍କାବାସୀଙ୍କୁ ମିଳିବ । ଦୁଇ ଦେଶ ମଧ୍ୟରେ ଗ୍ରିଡ୍ ଇଣ୍ଟର-କନେକ୍ଟିଭିଟି ଚୁକ୍ତି ଦ୍ୱାରା ଶ୍ରୀଲଙ୍କା ପାଇଁ ବିଜୁଳି ରପ୍ତାନି କ୍ଷେତ୍ରରେ ମାର୍ଗ ଉନ୍ମୁକ୍ତ ହେବ ।
ମୁଁ ଆନନ୍ଦିତ ଯେ ଆଜି ଶ୍ରୀଲଙ୍କାରେ ଧାର୍ମିକ ସ୍ଥଳପାଇଁ ୫ ହଜାର ସୌରଛାତ ବ୍ୟବସ୍ଥା ଉଦ୍ଘାଟିତ ହେବ । ଶ୍ରୀଲଙ୍କା ୟୁନିକ୍ ଡିଜିଟାଲ ପରିଚୟ ପ୍ରକଳ୍ପ ପାଇଁ ମଧ୍ୟ ଭାରତ ସହାୟତା ପ୍ରଦାନ କରିବ ।
ବନ୍ଧୁଗଣ,
ଭାରତ ‘ସବକା ସାଥ ସବକା ବିକାଶ’ର ପରିକଳ୍ପନାକୁ ଗ୍ରହଣ କରିଛି । ଆମେ ଆମର ପଡୋଶୀ ଦେଶର ପ୍ରାଥମିକତାକୁ ମଧ୍ୟ ଗୁରୁତ୍ୱ ଦେଇଥାଉ । କେବଳ ଗତ ୬ ମାସ ମଧ୍ୟରେ ଆମେ ୧୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ଋଣକୁ ଅନୁଦାନରେ ପରିବର୍ତ୍ତିତ କରିଛୁ । ଆମର ଦ୍ୱିପାକ୍ଷିକ ‘ଋଣ ପୁନର୍ଗଠନ ଚୁକ୍ତି’ ଦ୍ୱାରା ଶ୍ରୀଲଙ୍କାବାସୀଙ୍କୁ ତୁରନ୍ତ ସହାୟତା ଓ ଆଶ୍ୱସ୍ତି ମିଳିପାରିବ । ଆଜି ଆମେ ସୁଧ ହାର ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ । ଏହା ଭାରତ-ଶ୍ରୀଲଙ୍କାବାସୀଙ୍କ ମଧ୍ୟରେ ରହିଥିବା ଦୃଢ ସମ୍ପର୍କର ନିଦର୍ଶନ । ପୂର୍ବପ୍ରଦେଶର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ, ପ୍ରାୟ ୨.୪ ବିଲିୟନ ଶ୍ରୀଲଙ୍କା ମୁଦ୍ରାର ଏକ ସହାୟତା ପ୍ୟାକେଜ୍ ପ୍ରଦାନ କରାଯିବ । ଆଜି ଆମେ କୃଷକଙ୍କ କଲ୍ୟାଣ ପାଇଁ ଶ୍ରୀଲଙ୍କାର ସର୍ବବୃହତ ଗୋଦାମକୁ ମଧ୍ୟ ଉଦଘାଟନ କରିଛୁ । ଆସନ୍ତାକାଲି ଆମେ ‘ମାହୋ-ଓମନ୍ଥାଇ’ ରେଳ ଲାଇନର ଉଦଘାଟନ କରିବୁ ଏବଂ ‘ମାହୋ-ଅନୁରାଧାପୁରମ୍’ ସେକ୍ସନରେ ସିଗନାଲ ବ୍ୟବସ୍ଥାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବୁ । ଏଥିସହିତ କାଙ୍କେସନ୍ତୁରଇ ପୋର୍ଟର ଆଧୁନିକୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଶ୍ରୀଲଙ୍କାରେ ଥିବା ଭାରତୀୟ ବଂଶୋଦ୍ଭବ ତାମିଲ ସମ୍ପ୍ରଦାୟଙ୍କ ପାଇଁ ୧୦ ହଜାର ଘର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ । ଶ୍ରୀଲଙ୍କାର ୭୦୦ ଅତିରିକ୍ତ କର୍ମଚାରୀଙ୍କୁ ଭାରତରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିରେ ସଂସଦ ସଦସ୍ୟ, ନ୍ୟାୟପାଳିକା ସହ ଜଡିତ କର୍ମଚାରୀ, ଉଦ୍ୟୋଗୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଯୁବ ନେତା ମଧ୍ୟ ସାମିଲ ରହିବେ ।
ବନ୍ଧୁଗଣ,
ଆମେ ବିଶ୍ୱାସ କରୁ ଯେ ଆମର ମିଳିତ ସୁରକ୍ଷା ସ୍ୱାର୍ଥ ରହିଛି । ଉଭୟ ଦେଶର ନିରାପତ୍ତା ପରସ୍ପର ସହ ଜଡ଼ିତ ଏବଂ ପରସ୍ପର ଉପରେ ନିର୍ଭରଶୀଳ । ଭାରତର ସ୍ୱାର୍ଥ ପ୍ରତି ସମ୍ବେଦନଶୀଳତା ପାଇଁ ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଧନ୍ୟବାଦ ଜଣାଉଛି । ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୁଝାମଣାକୁ ଆମେ ସ୍ୱାଗତ କରୁଛୁ । କଲମ୍ବୋ ସୁରକ୍ଷା ସମ୍ମିଳନୀ ଏବଂ ଭାରତ ମହାସାଗରରେ ସୁରକ୍ଷା ସହଯୋଗ କ୍ଷେତ୍ରରେ ଆମେ ଏକାଠି କାମ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ ।
ବନ୍ଧୁଗଣ,
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶତାବ୍ଦୀ ପୁରୁଣା ଆଧ୍ୟାତ୍ମିକ ଓ ଆତ୍ମୀୟତାଭରା ସମ୍ପର୍କ ରହିଛି । ମୁଁ ଏହା କହି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ଯେ, ୧୯୬୦ ମସିହାରେ ମୋ ନିଜ ରାଜ୍ୟ ଗୁଜୁରାଟର ଅରାବଳୀରେ ମିଳିଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଦର୍ଶନ ପାଇଁ ଶ୍ରୀଲଙ୍କା ପଠାଯାଉଛି । ତ୍ରିଙ୍କୋମାଲିର ଥିରୁକୋନେଶ୍ୱରମ ମନ୍ଦିରର ମରାମତିରେ ଭାରତ ସହଯୋଗ କରିବ । ଅନୁରାଧାପୁରମ୍ ମହାବୋଧୀ ମନ୍ଦିର ପରିସରରେ ପବିତ୍ର ସହର ଏବଂ ‘ନୁରେଲିଆ’ରେ ‘ସୀତା ଏଲିଆ ମନ୍ଦିର’ ନିର୍ମାଣରେ ମଧ୍ୟ ଭାରତ ସହଯୋଗ ଯୋଗାଇଦେବ ।
ବନ୍ଧୁଗଣ,
ମତ୍ସ୍ୟଜୀବୀଙ୍କ ଜୀବିକା ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ଆମେ ଆଲୋଚନା କରିଥିଲୁ । ଏହି ପ୍ରସଙ୍ଗରେ ଏକ ମାନବିକ ଆଭିମୁଖ୍ୟ ସହିତ ଆଗକୁ ଅଗ୍ରସର ହେବା ପାଇଁ ଆମେ ରାଜି ହୋଇଛୁ । ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ସେମାନଙ୍କର ନୌକା ଫେରାଇବା ବିଷୟ ଉପରେ ମଧ୍ୟ ଆମେ ଗୁରୁତ୍ୱାରୋପ କରିଛୁ । ଆମେ ଶ୍ରୀଲଙ୍କାରେ ପୁନଃନିର୍ମାଣ ଏବଂ ସମନ୍ୱୟ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ । ରାଷ୍ଟ୍ରପତି ଦିଶାନାୟକ ତାଙ୍କର ସମାବେଶୀ ଆଭିମୁଖ୍ୟ ବିଷୟରେ ମୋତେ କହିଥିଲେ । ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲଙ୍କ ଆକାଂକ୍ଷା ପୂରଣ କରିବେ । ଶ୍ରୀଲଙ୍କାର ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଏବଂ ପ୍ରାଦେଶିକ ପରିଷଦ ନିର୍ବାଚନ ପରିଚାଳନା ଦିଗରେ ତାଙ୍କର ପ୍ରତିବଦ୍ଧତାକୁ ପୂରା କରିବେ ।
ବନ୍ଧୁଗଣ,
ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ପାରସ୍ପରିକ ବିଶ୍ୱାସ ଏବଂ ସଦ୍ଭାବନା ଉପରେ ଆଧାରିତ । ନିଜ ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ଏକାଠି ହୋଇ କାମ କରିବୁ । ପୁଣି ଥରେ ରାଷ୍ଟ୍ରପତି ଦିଶାନାୟକଙ୍କୁ ତାଙ୍କ ଭବ୍ୟ ସ୍ୱାଗତ ପାଇଁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୋର ବିଶ୍ୱାସ ଅଛି ଯେ ଆଗାମୀ ଦିନରେ ଆମେ ଆମର ଭାଗିଦାରୀକୁ ନୂତନ ଶିଖରରେ ପହଞ୍ଚାଇବୁ ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।