ରାଉରକେଲା, (ସସ୍ମିତା ପ୍ରଧାନ) : ୮୮ତମ ଉତ୍କଳ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ରାଜ୍ୟ କୃତି ଶିକ୍ଷକ ସମ୍ମାନ-୨୦୧୭ ପାଇଁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ୱାକ୍ଷର ବିଶିଷ୍ଟ ପ୍ରମାଣପତ୍ର ସହ ଉପଢୌକନ ଏବଂ ୨୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ଜିଲ୍ଲାପାଳ, ସୁନ୍ଦରଗଡ଼ ଡ଼. ଗାଭଲି ପରାଗ ହର୍ଷଦ ପ୍ରଦାନ କରିଥିଲେ । ପୁରସ୍କୃତ କରିବା ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ତଥା ବହୁ ମାନ୍ୟଗଣ୍ୟ ପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀମତୀ ଜେନା ପିତା ସ୍ୱର୍ଗତ ଶିବ ଚରଣ ଜେନା, ମାତା ସ୍ୱର୍ଗତ ନିର୍ମଳା ଜେନାଙ୍କ ଜ୍ୟେଷ୍ଠା କନ୍ୟା ଅଟନ୍ତି । ୧୯୬୨ମସିହା ପବିତ୍ର ଉତ୍କଳ ଦିବସରେ ଜନ୍ମିତ ଶ୍ରୀମତୀ ଜେନା ନିଜର ୧୯୮୩ ମସିହାରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ।
ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଭାବେ ନିଜର ୩୯ବର୍ଷର ଶିକ୍ଷକତା ଭିତରେ ସହକାରୀ ତଥା ପ୍ରଧାନ ଶିକ୍ଷୟିତ୍ରୀ ଭାବେ ବିଶ୍ରା ବ୍ଲକ ତଥା ରାଉରକେଲା ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଘୁନାଥପାଲ୍ଲୀ, ପାନପୋଷ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରିଜର୍ଭ ପୋଲିସ ଲାଇନଠାରେ ନିଜ କାର୍ଯ୍ୟ ଦକ୍ଷତାର ଛାପ ଛାଡିଯାଇଛନ୍ତି । ଅନେକ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ରୂପେ ଗଢି ତୋଳିଛନ୍ତି ଏବଂ ସାଧନ କର୍ମୀ ଭାବେ ବହୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶକ ସାଜିଛନ୍ତି ବୋଲି ମତପ୍ରକାଶ ପାଇଛି । ବିଭିନ୍ନ ସମୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ବିଦ୍ୟାଳୟ ସ୍ତରରେ କୁନି କୁନି ପିଲାମାନଙ୍କର ସୃଷ୍ଟି ସର୍ଜନାକୁ ନେଇ ‘ପ୍ରୟାସ’ ନାମକ ହାତଲେଖା ବାର୍ଷିକ ପତ୍ରିକା ବାହାର କରି ସେ ଛାତ୍ର, ଅଭିଭାବକ ତଥା ସାହିତ୍ୟ ପ୍ରେମୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସମାଜକୁ ତାଙ୍କର ଅବଦାନ ଅତୁଳନୀୟ ହେତୁ ବୁଦ୍ଧିଜୀବୀ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।