ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉପରେ ଏସଏଲବିସି ଓଡ଼ିଶା ଏବଂ ପିଆଇବି ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ

  • ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ଦ୍ୱାରା ଦେଶବ୍ୟାପୀ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ମାଧ୍ୟମରେ ନାଗରିକଙ୍କୁ ସୁଲଭ ବ୍ୟାଙ୍କ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯାଉଛି । ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇସାରିଛି ଏବଂ ଏହାକୁ ତିନି ମାସର ଅବଧି ମଧ୍ୟରେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜି ଭୁବନେଶ୍ୱରରେ ୟୁକୋ ବ୍ୟାଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ଏବଂ ପିଆଇବି ଭୁବନେଶ୍ୱର ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଗଭୀର କରିବା ଏବଂ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବାର ପ୍ରୟାସକୁ ଆହୁରି ବ୍ୟାପକ କରିବା ଲାଗି ଏସଏଲବିସି ନିଷ୍ପତ୍ତି ନେଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନର ଅଗ୍ରଗତି ଏବଂ ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋକପାତ କରାଯାଇଛି । ଦେଶବ୍ୟାପୀ ଚାଲିଥିବା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନର ଲକ୍ଷ୍ୟ ହେଉଛି, ବିଶେଷକରି ଅନୁନ୍ନତ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ, ଆନୁଷ୍ଠାନିକ ଆର୍ଥିକ ସେବାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ, ୟୁକୋ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଏବଂ ଏସଏଲବିସି ଓଡ଼ିଶାର ସଂଯୋଜକ ଗୌତମ ପାତ୍ର ଏହି ଅଭିଯାନର ଅଗ୍ରଗତି ଓ ଭବିଷ୍ୟତର ରୂପରେଖ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଅଭିଯାନର ସଫଳ କାର୍ଯ୍ୟକାରିତା ପାଇଁ ୨୧ ଜୁନ୍ ୨୦୨୫ରେ ରାଜ୍ୟସ୍ତରୀୟ ରଣନୀତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟ, ଲିଡ୍ ଜିଲ୍ଲା ପରିଚାଳକ (ଏଲଡିଏମ୍), ନାବାର୍ଡ, ଆରବିଆଇର ପ୍ରତିନିଧି ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ । ଓଡ଼ିଶାରେ, ଏହି ଅଭିଯାନ ରାଜ୍ୟର ସବୁ ପଞ୍ଚାୟତରେ ପହଞ୍ଚିବ । ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଆରଆରବି ସହିତ ସମନ୍ୱୟ ରଖି ଓଡ଼ିଶା ପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି), ସମସ୍ତ ୩୦ଟି ଲିଡ୍ ଜିଲ୍ଲା ପରିଚାଳକ ଏହି ଅଭିଯାନର କାର୍ଯ୍ୟକାରିତା ତଦାରଖ କରୁଛନ୍ତି । ଅଭିଯାନରେ ମୁଖ୍ୟତଃ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କର ପିଏମ ଜନଧନ ଆକାଉଣ୍ଟ ଖୋଲିବା ସହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି ଅଚଳ ଜନଧନ ଆକାଉଣ୍ଟଗୁଡ଼ିକୁ ପୁନଃ ସଚଳ କରିବା ଉପରେ ଜୋର ଦିଆଯାଇଛି । ଏହାବ୍ୟତୀତ ଡିଜିଟାଲ ଠକେଇ ସମ୍ପର୍କରେ ସଚେତନତା ସୃଷ୍ଟି, ଦାବି ହୋଇନଥିବା ଜମାରାଶି ପ୍ରାପ୍ତ କରିବା ଏବଂ ଅଭିଯୋଗ ସମାଧାନର ସୁବିଧା ଯୋଗାଇ ଦିଆଯାଇଛି । ଆବଶ୍ୟକତା କ୍ଷେତ୍ରରେ ଜମା ଖାତାରେ ନାମାଙ୍କିତ ବ୍ୟକ୍ତିଙ୍କ ନାମର ସଂଶୋଧନ କରାଯାଇଛି । ରାଜ୍ୟରେ ଜୁଲାଇ ୨୧ ସୁଦ୍ଧା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନରେ ୬୭୪୨ଟି ପିଏମ ଜନଧନ ଆକାଉଣ୍ଟ ଖୋଲାଯାଇଛି । ୮୭୭୯ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୪ ହଜାର ୪୫ ଜଣ, ଅଟଳ ପେନସନ ଯୋଜନାରେ ୨,୯୩୮ ଜଣ ପଞ୍ଜୀକରଣ କରିଥିବା ବେଳେ ୧୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ଇ-କେୱାଇସି ଏବଂ ଅନ୍ୟାନ୍ୟ ବ୍ୟାଙ୍କ ସେବା ଯୋଗାଇ ଦିଆଯାଇଛି । ଶ୍ରୀ ପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଆରବିଆଇ, ଭୁବନେଶ୍ୱର ନିଷ୍କ୍ରିୟ ଆକାଉଣ୍ଟ, ଦାବିହୀନ ଜମା, ଆରବିଆଇ ସମନ୍ୱିତ ଲୋକପାଳ ଯୋଜନା ଏବଂ ଡିଜିଟାଲ୍ ଠକେଇ ନିବାରଣ ଭଳି ବିଷୟ ଉପରେ ସଚେତନତା ସାମଗ୍ରୀ ପ୍ରଦାନ କରିଛି । ଏହି ସାମଗ୍ରୀଗୁଡ଼ିକୁ ସମସ୍ତ ଲିଡ୍ ଜିଲ୍ଲା ପରିଚାଳକ ଏବଂ ବ୍ୟାଙ୍କଗୁଡ଼ିକୁ ବଣ୍ଟନ କରାଯାଇଛି । ଡିଜିଟାଲ୍ ସୁରକ୍ଷା, ଦାବିହୀନ ଜମା ଦାବି କରିବା ପାଇଁ ପ୍ରକ୍ରିୟା ଏବଂ ଉପଲବ୍ଧ ଅଭିଯୋଗ ସମାଧାନ ବ୍ୟବସ୍ଥା ଉପରେ ଜନସଚେତନତା ବୃଦ୍ଧି କରିବା ପାଇଁ ଶାଖା ପରିସରରେ ଓ ଗ୍ରାମ ପଞ୍ଚାୟତର ପ୍ରଚାର ସ୍ଥଳଗୁଡ଼ିକରେ ଏସବୁ ସୂଚନା ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରାଯାଉଛି । ୩୦ ଜୁନ୍ ୨୦୨୫ ସୁଦ୍ଧା, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ମୋଟ ୨,୩୧,୭୮,୯୩୧ଟି ଆକାଉଣ୍ଟ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ୨,୧୯,୫୦,୨୧୫ ଜଣ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୯୨,୩୨,୨୦୭ ଜଣ ପଞ୍ଜୀକୃତ ହୋଇଛନ୍ତି । ଏହାବ୍ୟତୀତ ଅଟଳ ପେନସନ୍ ଯୋଜନାରେ ମୋଟ ୨୯,୫୬,୧୨୬ ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ, ମୋଟ ୨୨,୮୧୫ଟି ଦାବି ସମାଧାନ ସହିତ ୪୫୬.୩୦ କୋଟି ଟଙ୍କା ପୈଠ କରାଯାଇଛି । ସେହିପରି, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ, ୪,୮୨୯ଟି ଦାବି ସମାଧାନ ସହିତ ମୋଟ ୯୫.୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସାଧାରଣ ଜନତାଙ୍କ ନିକଟରେ ଏହି ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ପ୍ରସାରଣ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଶ୍ରୀ ପାତ୍ର ସ୍ୱୀକାର କରିଥିଲେ । ସେ କହିଥିଲେ, ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ, ଯାହାର ଲକ୍ଷ୍ୟ ସମାଜର ସମସ୍ତ ବର୍ଗକୁ ଆର୍ଥିକ ମୁଖ୍ୟଧାରାରେ ସାମିଲ କରିବା । ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର; ଭୁବନେଶ୍ୱର ଜୋନ ୟୁକୋ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜୋନାଲ ମ୍ୟାନେଜର ଭାଗବତ ସିଂହ ଭାକୁନି; କଟକ ଜୋନର ୟୁକୋ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜୋନାଲ ମ୍ୟାନେଜର ସୁଶ୍ରୀ ବର୍ଷା; ଏବଂ ଏସଏଲବିସି ଓଡ଼ିଶାର ପ୍ରଭାରୀ ସହାୟକ ମହାପ୍ରବନ୍ଧକ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.