
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ସୁନ୍ଦରଗଡ ଜିଲ୍ଲାର ବୈଠକ ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ୱାଇଁଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଲସ୍ତାର ପ୍ରାକ୍ତନ ସଭାପତି କୁଞ୍ଜବିହାରୀ ରାଉତ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ତଥା ପ୍ରାକ୍ତନ ଅଲସ୍ତା ରାଜ୍ୟ ଉପସଭାପତି ଶରତ ଚନ୍ଦ୍ର ସାହୁ, ଉପଦେଷ୍ଟା ରମାକାନ୍ତ ମଲ୍ଲିକ, କମଳାକାନ୍ତ ରାଉତ, ବ୍ରଜେନ୍ଦ୍ର ଦାଶ, କାର୍ଯ୍ୟକାରିଣୀ ସଦସ୍ୟ ନିତ୍ୟାନନ୍ଦ ବେହେରା ଓ ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ୧୦ ତାରିଖରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ଯୋଗଦେବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ସ୍ୱାଇଁ ଅତିଥିମାନଙ୍କ ପରିଚୟ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ଶ୍ରୀ ନାୟକ ଏହି ଅବସରରେ ବକ୍ତବ୍ୟ ରଖି କହିଲେ ଯେ, ପୂର୍ବ ସରକାରଙ୍କ କଠୋର ମନୋଭାବ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସବୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କୌଣସି ଅନୁଦାନ ଦେଲେ ନାହିଁ । ସମାନ କାମକୁ ସମାନ ଦରମା କେବଳ ସ୍ଲୋଗାନରେ ରଖିଦେଲେ । ନୂତନ ଅନୁଦାନ ପ୍ରାପ୍ତ ୨୫୫୧ ମାଧ୍ୟମିକ ବିଦ୍ୟାଳୟ,୯୧୬ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୩୯ ଟି ସଂସ୍କୃତ ଟୋଲ, ୧୩୧ଟି ମାଦ୍ରାସା ଓ ୬୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମୀମାନେ ୩୦ବର୍ଷରୁ ଅôଦକ ସମୟ ଧରି ଚାକିରି କରିସାରିବା ପରେ ସେମାନେ ପେନସନ୍ ଓ ଅବସରକାଳୀନ ସୁବିଧାରୁ ବଂଚିତ । ଏହା ସହ ଆହୁରି ଅନେକ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିଛି ମାଦ୍ରାସା, ସଂସ୍କୃତ ଟୋଲ ଓ କଲେଜ ଅଛି । ସେମାନଙ୍କ ଅନୁଦାନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ତେଣୁ ଏଭଳି ଅସୁବିଧାରେ ଜର୍ଜରିତ ଶିକ୍ଷକ ଓ କର୍ମଚାରୀ କିପରି ଗୁଣାତ୍ମକ ଶିକ୍ଷାଦାନ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏସବୁର ସମାଧାନ ପାଇଁ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ଦିନ ଭୁବନେଶ୍ଵରର ଗାନ୍ଧୀ ମାର୍ଗରେ ମହାସମାବେଶ କରିବା ସହ ଏହି ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦବା ପାଇଁ ଆହ୍ୱାନ ଦିଆଯାଇଥିଲା । ସଭାପତି କରୁଥିବା ଶ୍ରୀ ରାଉତ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତାକୁ ଗୁରୁତ୍ୱ ଦେବା ସହ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କୋଏଲ ନଗର ସରସ୍ଵତୀ ବିଦ୍ୟାପୀଠ, କୋଏଲ ବିଦ୍ୟାପୀଠ, ପ୍ରଗତି ବିଦ୍ୟାମନ୍ଦିର, ଓଏସଏପି ହାଇସ୍କୁଲ, ହମିରପୁରର ଗୋପବନ୍ଧୁ ହାଇସ୍କୁଲ, ମୁଣ୍ଡାଜୋର ହାଇସ୍କୁଲ, ଇରାକିଆ ବାଳିକା ଉର୍ଦ୍ଦୁ ହାଇସ୍କୁଲ, ତୁମରଯୋର ହାଇସ୍କୁଲ ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।