om academy

ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ୍‌ କରିବାର ନିଷ୍ପତ୍ତି ବିରୁଦ୍ଧରେ କୋଶଲ ରାଜ୍ୟ ସମନ୍ୱୟ ସମିତି ଆଗାମୀ ଡିସେମ୍ବର ୪ ତାରିଖରେ ପ୍ରତିବାଦ ଦିବସ ପାଳନ କରିବ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ସରକାର ଉପନିବେଶବାଦୀ ମନୋବୃତ୍ତି ରଖି ବାରମ୍ବାର ବନ୍ଦେ ଉତ୍କଳ ଜନନୀକୁ ଯେଉଁ ଭଳି ଭାବରେ କୋଶଳାଂଚଳର ଦୁଇ କୋଟି ଜନ ସାଧାରଣଙ୍କ ଉପରେ ଲଦି ଦେଉଛି, ତା ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି । କରୋନା କାଳରେ ଯେଭଳି ଭାବରେ ରାଜ୍ୟ ସରକାର ପ୍ରଥମେ ଜବରଦସ୍ତି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବା ପାଇଁ ତରବରରେ ନିଷ୍ପତ୍ତି ନେଲେ ଓ ନିକଟରେ ବନ୍ଦେ ଉତ୍କଳ ଜନନୀକୁ ନବମ, ଦଶମ ଶ୍ରେଣୀର ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାହାକୁ କୋଶଲ ରାଜ୍ୟ ସମନ୍ୱୟ ସମିତି ତୀବ୍ର ନିନ୍ଦା କରିବା ସହ ଏହା ବିରୁଦ୍ଧରେ ଲମ୍ବା ଲଢେଇ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ୪ ତାରିଖରେ କୋଶଳାଂଚଳର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ମାର୍ଫତରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବ ଓ ତାପରେ କୋଶଳାଂଚଳରେ ବ୍ୟାପକ ଜନ ଜାଗରଣ ସୃଷ୍ଟି କରିବା ସହ ବିଭିନ୍ନ ପର୍ଯ୍ୟାୟରେ ଏହି ବିଷୟକୁ ନେଇ ଲମ୍ବା ଅଭିଯାନ କରାଯିବ ବୋଲ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି ପକ୍ଷରୁ ସୂଚନା ଦିଆଯାଇଛି ।

କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ, ୧୯୦୩ ମସିହାରେ ସ୍ୱତନ୍ତ୍ର ଉତ୍କଳ ରାଜ୍ୟ ଦାବୀ କରି ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ବୃହତ୍ତର ଭାଷା ଭିତ୍ତିକ ଓଡିଶା ରାଜ୍ୟ ଗଠନ କରିବାର ନିଷ୍ପତ୍ତି ନେଇ ଉତ୍କଳ ସମ୍ମିଳନୀ ଆନ୍ଦୋଳନ କରିଥିଲା । ଏହି ସମୟରେ ଉତ୍କଳ ସମ୍ମିଳନୀର କର୍ମକର୍ମାମାନଙ୍କୁ ଉତ୍ସାହିତ କରିବାକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ କବିତା ଲେଖିଥିଲେ । ଉତ୍କଳ କହିଲେ କେବଳ ଅବିଭକ୍ତ କଟକ, ବାଲେଶ୍ୱର ଓ ପୁରୀ ଜିଲ୍ଲାକୁ ବୁଝାଏ । କିନ୍ତୁ ୧୯୩୬ ମସିହାରେ ଯେତେବେଳେ ଓଡିଶା ରାଜ୍ୟ ଗଠନ ହେଲା ସେତେବେଳେ ଉତ୍କଳ ଅଞ୍ଚଳ ସହ କଳିଙ୍ଗ ଭୁଖଣ୍ଡର ଗଞ୍ଜାମ ଓ କୋଶଲ ଅଞ୍ଚଳର ସମ୍ବଲପୁର ଓ କୋରାପୁଟ ଅଞ୍ଚଳକୁ ନେଇ ଏହା ଗଠିତ ହୋଇଥିଲା । ୧୯୪୮ ମସିହାର ଗଡଜାତ ମିଶ୍ରଣ ସମୟରେ ବାକି ଅଞ୍ଚଳକୁ ନେଇ ବୃହତ୍ତର ଓଡିଶା ରାଜ୍ୟ ଗଠିତ ହୋଇଥିଲା । ୧୯୩୬ ମସିହାରେ ସମ୍ବଲପୁର ଓ କୋରାପୁଟ କେବଳ ପ୍ରସ୍ତାବିତ କୋଶଲ ରାଜ୍ୟରୁ ଓଡିଶା ସହ ମିଶିଥିଲା । କିନ୍ତୁ ୧୯୪୮ ମସିହାରେ ବାକି ସବୁ ଅଂଚଳକୁ ଓଡିଶା ସହ ମିଶେଇ ଦିଆଯାଇଥିଲା । ଏଭଳି ସ୍ଥଳରେ ଓଡିଶା ରାଜ୍ୟ ଉତ୍କଳ କିମ୍ବା ବନ୍ଦେ ଉତ୍କଳ ଜନନୀର କୋ÷÷ଣସି ପ୍ରାସଙ୍ଗିକତା ନାହିଁ । କିନ୍ତୁ ରାଜ୍ୟ ସରକାର ସବୁବେଳେ କୋଶଳ ଓ କଳିଙ୍ଗ ଉପରେ ଉତ୍କଳକୁ ଲଦି ଦେଇ ଆସିଛନ୍ତି । ସରକାରଙ୍କ ମୁଖପତ୍ର ନାମକୁ ଉତ୍କଳ ପ୍ରସଙ୍ଗ ବୋଲି ନାମାଙ୍କିତ କରିବା ସହ ଓଡିଶା ପ୍ରତିଷ୍ଠା ଦିବସକୁ ଉତ୍କଳ ଦିବସ ହିସାବରେ ମଧ୍ୟ ପାଳନ କରି ଆସିଛନ୍ତି । ଏବେ ନିକଟରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦିଆଯିବା ପରେ ଓ ସରକାରୀ ପାଠ୍ୟକ୍ରମରେ ତାକୁ ସାମିଲ କରିବାର ନିଷ୍ପତ୍ତି ନେବା ପରେ ଓଡିଶା ପ୍ରଶାସନର ଉପନିବେଶବାଦୀ ଚେହେରା ଉଜାଗର ହୋଇଯାଇଛି । ଓଡିଶା ସରକାର ଓ ପ୍ରଶାସନର ଏଭଳି ଏକପାଖିଆ ନିଷ୍ପତ୍ତି ଦୁଇ କୋଟି କୋଶଳବାସୀଙ୍କ ସ୍ୱାଭିମାନକୁ ଆଘାତ ଦେଇଛି । ତେଣୁ ସାରା କୋଶଳାଞ୍ଚଳର ଜନସାଧାରଣ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ନିହାତି ଆବଶ୍ୟକ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.