ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କଲେ ଜିଲ୍ଲା ନୋଡାଲ ସଚିବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ ନିଗମ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ଓ ପାଣ୍ଠି ବିନିଯୋଗ ଉପରେ ଆଲୋଚନା ଓ ସମୀକ୍ଷା କରିଛନ୍ତି । ଏହି ପର୍ଯ୍ୟାଲୋଚନା ଓ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ (ସାଧାରଣ) ଉପସ୍ଥିତ ଥିଲେ । ମିନି ସମ୍ମିଳନୀ କକ୍ଷରେ ଜଣ ଜଣ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତାଙ୍କ କାର୍ଯ୍ୟାଳୟ ଓ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ଓ ପାଣ୍ଠି ବିନିଯୋଗର ପର୍ଯ୍ୟାଲୋଚନା ଓ ସମୀକ୍ଷା କରି ଯୋଜନା କାର୍ଯ୍ୟକାରୀ କରିବାରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଓ ବିଭିନ୍ନ ଯୋଜନା ଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିଥିଲେ । ପ୍ରଥମେ ସେ ସୁବର୍ଣ୍ଣପୁର ସ୍ଥିତ ସୁରେଶ୍ଵରୀ ମନ୍ଦିର ସାମନାରେ ଓରମାସ ଦ୍ଵାରା ପରିଚାଳିତ ବୁଣାକାରମାନଙ୍କ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଥିଲେ । ତା’ପରେ ବୀରମହାରାଜପୁର ପଞ୍ଚାୟତ ସମିତିର ନିୟନ୍ତ୍ରିତ ବଜାର କମିଟି ମାର୍କେଟ ୟାର୍ଡ ପରିଦର୍ଶନ, କୁଞ୍ଜାପାଲି ସେବାଶ୍ରମ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଥିବା ଜଣାପଡିଛି ।

Leave A Reply

Your email address will not be published.