centurian jitm

ଡେଲାଙ୍ଗ ବ୍ଲକର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସ୍ୱାସ୍ଥ୍ୟ ସେବା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଗୁଡିକର ସ୍ଥିତ, ଅବସ୍ଥିତ, ଅଗ୍ରଗତି ଓ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ରୂଦ୍ରପ୍ରତାପ ମହାରଥୀ । ଏହି ସମୀକ୍ଷା ବୈଠକ ଗୁରୁବାର ପୂର୍ବାହ୍ନରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ସଭାପତିତ୍ଵ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଲୋଳ ରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ପ୍ରଧାନ ଓ ରଞ୍ଜନ କୁମାର ମିଶ୍ର, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ହାରାମଣି ନାୟକ, ସୁପରଭାଇଜର ସଂଘମିତ୍ରା ବେହେରା ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ରହିଥିଲେ ।ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଠିକ ଭାବେ ଯୋଗାଇ ଦେବା, ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ବ୍ୟବସ୍ଥା, କୋଭିଡ ଟୀକାକରଣ ଅଗ୍ରଗତି ସମ୍ପର୍କରେ ବିଧାୟକ ମହାରଥୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରି ବୁଝିଥିଲେ । ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମଚାରୀ ଅଭାବୀ, ସ୍ଥାୟୀ ଗୃହ ନିର୍ମାଣ, ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣ କ୍ଷେତ୍ରରେ ସ୍ଥାନୀୟ ଜମି ଅଧିଗ୍ରହଣ ଓ ଗୃହନିର୍ମାଣ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ତ୍ରିପାଠୀ ସୂଚନା ଦେଇଥିଲେ । ଡେଲାଙ୍ଗ ବ୍ଲକ ପାଇଁ ମଞ୍ଜୁର ହୋଇଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି, ଅଗ୍ରଗତି ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ୧୫ ଟି ଗ୍ରାମ ପଞ୍ଚାୟତର ୭୪ ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୯୧ କୋଟି ୯୧ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଛି । ୨୯ଟି ଭୂତଳ ଜଳ ଉତ୍ସ ଓ ୮ଟି ମୁକ୍ତ ଜଳାଶୟ ଉତ୍ସରୁ ଜଳ ଯୋଗାଣ ହେଉଥିବା ବିଭାଗୀୟ ଯନ୍ତ୍ରୀ ପଣ୍ଡା କହିଥିଲେ । ନଳକୂପ ମରାମତି ବିଳମ୍ବ ଓ ରାସ୍ତା ଖୋଳି ପାଇପ ବିଛାଇବାରେ ବିଳମ୍ବ ଓ ରାସ୍ତା ମରାମତି ନକରିବା ହେତୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ସମ୍ପର୍କରେ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ଏଥିପ୍ରତି ଯତ୍ନବାନ ହେବାକୁ ତାଗିଦ କରିଥିଲେ । ବେଆଇନ ପାନୀୟ ଜଳ ଯୋଗାଣ ଉପରେ ରୋକ ଲାଗିଲେ ସମସ୍ତେ ପାନୀୟ ଜଳ ସୁବିଧା ପାଇପାରିବେ ଓ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ କେତେକ ପ୍ରକଳ୍ପ ବାଧାପ୍ରାପ୍ତ ହେଉଥିବା କନିଷ୍ଠ ଯନ୍ତ୍ରୀ କହିଥିଲେ । ଡେଲାଙ୍ଗ ସମନ୍ବିତ ଶିଶୁ ବିକାଶ ଯୋଜନାରେ ୧୭୯ ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୯୪ଟି କେନ୍ଦ୍ରର ଗ୍ରୂହ ନିର୍ମାଣ ସମ୍ପୂଣ୍ଣ ହୋଇଥିବା ବେଳେ ୪୬ଟି କେନ୍ଦ୍ର ସ୍ଥାନୀୟ ସମସ୍ୟା ନେଇ ସମ୍ପୂର୍ଣ୍ଣ ହୋଇପାରି ନାଁହି ଓ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ସମସ୍ୟା ଦେଖାଦେଉଛି ବୋଲି ସିଡିପିଓ ହାରାମଣି ନାୟକ ଦର୍ଶାଇଥିଲେ । ଯେଉଁଠି ବିଦ୍ୟୁତ ସଂଯୋଗ ଅସୁବିଧା ଅଛି ସେଠାରେ ସୌରଶକ୍ତି ବ୍ୟବସ୍ଥା ଉପଯୋଗ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.