ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଟିମ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା

  • ଘଟକେଶ୍ୱର ଓ ଛେଳିଗଡ଼ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନିମନ୍ତେ କାର୍ଯ୍ୟ ସାରଣୀ ନିର୍ଦ୍ଧାରଣ
  • ଗଞ୍ଜାମ ଜିଲ୍ଲାର ୬୨୬ଟି ବିଦ୍ୟାଳୟ ପାଇଁ ସୌର-ଶକ୍ତି ପ୍ରକଳ୍ପର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଏବଂ ୫-ଟି ଶାସନ ସଚିବ ଭି.କେ. ପାଣ୍ଡିଆନ୍ ଗଞ୍ଜାମ ଓ ଗଜପତି ଜିଲ୍ଲାଗସ୍ତ କରି ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ଆଦି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରି ଚଳିତ ବର୍ଷ ଡିସେମ୍ବର ଶେଷସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, କୁକୁଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପ ପ୍ରାୟ ୧୭୨.୦୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି । ବ୍ରହ୍ମପୁର ସହରଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରକଳ୍ପର ଆକାର ୨୩.୫୫ ବର୍ଗ କିଲୋମିଟର । ଏହାଦ୍ୱାରା କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ୪ଟି ଗ୍ରାମର ପ୍ରାୟ ୬୦୦ ହେକ୍ଟର ଅଧିକ ଜମି ଜଳସେଚିତ ହେବ । ଏହା ବ୍ୟତୀତ ଏହି ପ୍ରକଳ୍ପରୁ ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଦୈନିକ ୮.୨୫ ଏମ୍.ଏଲ.ଡି ପାନୀୟ ଜଳ ଯୋଗାଇ ଦିଆଯିବ । ପରେ ପରେ ଏହି ଟିମ୍ କଙ୍କିଆ ଗ୍ରାମ ପଞ୍ଚାୟତର ପୁରୁଣା ପାଟଣା ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରିଥିଲେ । ଏହି ବିଦ୍ୟାଳୟରେ ୨୦୨୧ ମସିହା ଡ଼ିସେମ୍ୱର ମାସରୁ ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ଅପ୍ରେଲ୍ ମାସରେ ନିର୍ମାଣ ସରିଥିବା ପ୍ରକଳ୍ପଗୁଡିକ କିପରି କାର୍ଯ୍ୟକରୁଛି ଏବଂ ଏଥିରୁ ଛାତ୍ରଛାତ୍ରୀମାନେ କିପରି ଉପକୃତ ହେଉଛନ୍ତି ସେସବୁ ବିଷୟରେ ଏହି ବରିଷ୍ଠ ଅଧିକାରୀମାନେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଆଧୂନିକ ଶିକ୍ଷା ଉପକରଣ, କମ୍ପ୍ୟୁଟର, ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ଖେଳ ପଡିଆ, ପରିଚ୍ଛନ୍ନତା ଓ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପ୍ରକ୍ରିୟାର ଗୁଣାତ୍ମକମାନ ଉଚ୍ଚସ୍ତରକୁ ନେବା ସହ ଛାତ୍ରଛାତ୍ରୀମାନଙ୍କୁ ଯେ କୌଣସି ଜାତୀୟସ୍ତର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମକକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୫୫୦ଟି ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏକ ଅଭିନବ ସୌର-ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ପୁରୁଣା ପାଟଣା ଉଚ୍ଚବିଦ୍ୟାଳୟରେ ଏହି ପ୍ରକଳ୍ପକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏପରି ଅଭିନବ ପ୍ରକଳ୍ପର ପ୍ରଶଂସା କରି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ, ବିଦ୍ୟାଳୟରେ ସବୁଜ ଶକ୍ତିର ବ୍ୟବହାର ଏକ ଅତି ଉଚ୍ଚମାନର ପଦକ୍ଷେପ । ଏହା ମାଧ୍ୟମରେ ବିଦ୍ୟାଳୟମାନେ ଦିନ ତମାମ ନିରବଛିନ୍ନ ବିଦ୍ୟୁତ ପାଇପାରିବେ ଯାହାକି ଶିକ୍ଷାଗ୍ରହଣ ପାଇଁ ବେଶ ଫଳପ୍ରଦ ହେବ । ଏହି ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ୫୫୦ଟି ବିଦ୍ୟାଳୟରେ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜିଳ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ।

ଗଞ୍ଜାମ ଗସ୍ତ ପୂର୍ବରୁ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ରାଜ୍ୟସରକାରଙ୍କ ଏହି ଟିମ୍‌ରେ ବରିଷ୍ଠ ଅଧିକାରୀମାନେ ନିର୍ମାଣାଧିନ ଟନେଲ୍ ଭିତରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଟନେଲ୍‌ର ୨୦୦ ମିଟର ନିର୍ମାଣ ସରିଛି । ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ମାସ ମଧ୍ୟରେ ସାରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଟନେଲ୍ ନିର୍ମାଣ କାର୍ଯ୍ୟ ସରିଲେ ଅସ୍ଥାୟୀ ଭାବେ ଚାଷ ପାଇଁ ପାଣି ଯୋଗାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପ ମାଧ୍ୟମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬୨୬୦ ହେକ୍ଟରରୁ ଅଧିକ ଜମି ଜଳ ସେଚିତ ହେବ । ୨୦୨୪ ମସିହା ସୁଦ୍ଧା ପୁରାପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ଲକ୍ଷ୍ୟନେଇ କାର୍ଯ୍ୟସାରଣୀ ପ୍ରସ୍ତୁତ କରାଯାଇଛି । ଏହି ଗସ୍ତ କାଳରେ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!