ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ସମୀକ୍ଷା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସଞ୍ଚାର ଏକାଉଣ୍ଟସ୍ ମହାନିୟନ୍ତ୍ରକ (ସିଜିସିଏ), ନୂଆଦିଲ୍ଲୀ ବନ୍ଦନା ଗୁପ୍ତା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ପେନସନଭୋଗୀଙ୍କ କଲ୍ୟାଣ, ଅଂଶୀଦାରଙ୍କ ସମ୍ପୃକ୍ତି ଓ ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ଗୁପ୍ତା ୧୧ ତାରିଖରେ ପେନସନଭୋଗୀ ଲୋକସମ୍ପର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସିଜିସିଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୂରସଞ୍ଚାର ବିଭାଗ ଏବଂ ବିଏସଏନଏଲର ବହୁ ପେନସନଭୋଗୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଜାତୀୟ ସ୍ତରର ବହୁ ବରିଷ୍ଠ ଦୂରସଞ୍ଚାର ଅଧିକାରୀ ଅଂଶଗ୍ରହଣ କରିଥିଲେ । ଏଥିରେ ପେନସନ ସଂକ୍ରାନ୍ତ ନଥିପତ୍ରର ସଂଶୋଧନ, ଡିଜିଟାଲ ପେନସନ ସେବା ସମ୍ପର୍କରେ ସଚେତନତା ଏବଂ ଠିକ୍ ସମୟରେ ସମସ୍ୟାମୁକ୍ତ ପେନସନ ବିତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶ୍ରୀମତୀ ଗୁପ୍ତା କହିଥିଲେ, ପେନସନ ଅଭିଯୋଗ ସମାଧାନ ଏବଂ ପେନସନଭୋଗୀ କଲ୍ୟାଣ ସେବା ନିମନ୍ତେ ସମ୍ପନ୍ନ 2.0କୁ ଏକ ବିସ୍ତୃତ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ ରୂପେ କାର୍ଯ୍ୟକ୍ଷମ କରାଯାଇଛି । ବାଧାମୁକ୍ତ ପେନସନ ବିତରଣ ଲାଗି ଠିକ ସମୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶ୍ରୀମତୀ ଗୁପ୍ତା ବରିଷ୍ଠ ପେନସନଭୋଗୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପେନସନଭୋଗୀ ଓ ପେନସନଭୋଗୀ ସଂଘର କର୍ମକର୍ତ୍ତାଙ୍କ ସମସ୍ୟା ସମ୍ପର୍କରେ ସେ ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପେନସନ ସଂକ୍ରାନ୍ତ କାଗଜପତ୍ର ପାଇବା ଲାଗି ଡିଜିଲକର ଆପ୍ ର ବ୍ୟବହାର ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ସମ୍ବଲପୁର ବିଏସଏନଏଲର ପିଜିଏମ ପେନସନ ପରିଚାଳନାକୁ ସରଳ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷା ବଢ଼ାଇବା ଲାଗି ଦୂରସଞ୍ଚାର ବିଭାଗ ଏବଂ ସିସିଏ ଓଡ଼ିଶା ଦ୍ୱାରା ଗ୍ରହଣ କରାଯାଇଥିବା ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସମ୍ବଲପୁରଠାରେ ଜୀବନ ପ୍ରମାଣ କେନ୍ଦ୍ରକୁ ଉଦଘାଟନ କରାଯାଇଥିଲା । ଏହି କେନ୍ଦ୍ର ଏସଏସଏ ସମ୍ବଲପୁର ଏବଂ ରାଉରକେଲାର ପେନସନଭୋଗୀଙ୍କୁ ଲାଭାନ୍ୱିତ କରିବ ଏବଂ ଓଡ଼ିଶା ସର୍କଲର ପ୍ରାୟ ଏକତୃତୀୟାଂଶ ପେନସନଭୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ । ଏହାବ୍ୟତୀତ ଶ୍ରୀମତୀ ଗୁପ୍ତା ଆଜି ଭୁବନେଶ୍ୱର ସିସିଏ କାର୍ଯ୍ୟାଳୟ ଠାରେ ଏକ ପେନସନଭୋଗୀ ବିଶ୍ରାମ ଗୃହକୁ ଲୋକାର୍ପଣ କରିଥିଲେ । ଏଠାରେ ପେନସନଭୋଗୀଙ୍କ ଅଭିଯୋଗ ସମାଧାନ, ଡିଏଲସି ଦାଖଲ, କେୱାଇପି ଦାଖଲ, ପେନସନ ରେକର୍ଡ ସଂଶୋଧନ, ପେନସନଭୋଗୀଙ୍କ ପରିଚୟପତ୍ର ପ୍ରଦାନ ଆଦି ସେବା ମିଳିପାରିବ । ଏହି ଅବସରରେ ଶ୍ରୀମତୀ ଗୁପ୍ତା ଭୁବନେଶ୍ୱରରେ ବରିଷ୍ଠ ପେନସନଭୋଗୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପେନସନଭୋଗୀ ଓ ପେନସନଭୋଗୀ ସଂଘର କର୍ମକର୍ତ୍ତାଙ୍କ ସମସ୍ୟା ନେଇ ସେମାନଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀମତୀ ଗୁପ୍ତା ଭୁବନେଶ୍ୱରର ସିସିଏ କର୍ମଚାରୀଙ୍କ ସହିତ କାର୍ଯ୍ୟାଳୟ ସଂକ୍ରାନ୍ତ ପ୍ରସଙ୍ଗ, ଶ୍ରେଷ୍ଠ ପଦ୍ଧତି, ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ଅଭିନବ ଏବଂ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।