ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପାଣ୍ଡିଆନ ଗତକାଲି ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥିତ ଦଧିବାମନଜୀଉ ମନ୍ଦିର ଓ ରାମନଗର ଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ବଳଦେବଜୀଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମହାକାଳପଡା ବ୍ଲକ୍‌ ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ । ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ, ବିଭିନ୍ନ ସଂସ୍ଥା ଓ ସଂଘମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତା’ର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.