● କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନୀ ଅଧିବେଶନରେ ରଖିବେ ଅଭିଭାଷଣ
● ଜିଲ୍ଲାପାଳ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସେମାନଙ୍କର ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ କରିବେ ଉପସ୍ଥାପନ
ନୂଆଦିଲ୍ଲୀ,(ପିଆଇବି) : ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ବିଷୟବସ୍ତୁ ଉପରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ୧୭-୧୮ ତାରିଖ ଦୁଇ ଦିନ ଧରି ଆୟୋଜନ କରାଯିବ । କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏହି ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହିତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବେ । ‘ପ୍ରଧାନମନ୍ତ୍ରୀ ଉତ୍କର୍ଷତା ପୁରସ୍କାର’ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ବିଭିନ୍ନ ପ୍ରୟାସଗୁଡ଼ିକୁ ଉପସ୍ଥାପନ କରିବା ଏବଂ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ବିଷୟବସ୍ତୁକୁ ନେଇ ସମ୍ମିଳନୀ ଆୟୋଜନ କରାଯାଉଛି । ଡିଏଆରପିଜି ସଚିବ ଶ୍ରୀ ଭି. ଶ୍ରୀନିବାସ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ । ଏହି ଜାତୀୟ ସମ୍ମିଳନୀରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ଆୟୋଜିତ ହେବ । “ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ ୨୦୨୪ – (ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ)’’ ଶୀର୍ଷକ ପ୍ରଥମ ଅଧିବେଶନ ଡିଏଆରପିଜିର ଅତିରିକ୍ତ ସଚିବ ପୁନିତ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଡିଏଆରପିଜି ଯୁଗ୍ମ ସଚିବ ସରିତା ଚୌହାନ ‘‘ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ -୨୦୨୪ (ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ’’ ବିଷୟ ଉପରେ ଆଉ ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ । ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ ୨୦୨୩ ଏବଂ ୨୦୨୪ (ସାମଗ୍ରିକ ବିକାଶ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ନବସୃଜନ) ଉପରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ, ଜିଲ୍ଲାପାଳ,ସର୍ବୋତ୍ତମ ଅଭ୍ୟାସ ପାଇଁ ପୁରସ୍କୃତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ୨୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ । ସେମାନେ ବିଭିନ୍ନ ପ୍ରୟାସଗୁଡ଼ିକର ସଂକ୍ଷିପ୍ତ ଚିତ୍ର ଏବଂ ଚୟନିତ ସରକାରୀ ଯୋଜନା ଅଧୀନରେ ଅଣାଯାଇଥିବା ରୂପାନ୍ତରକାରୀ ପରିବର୍ତ୍ତନର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବେ । ସାରା ଦେଶରୁ ୨୦୦ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଜାତୀୟ ଏବଂ ରାଜ୍ୟସ୍ତରୀୟ ସାଧାରଣ ପ୍ରଶାସନ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବ । ସାଧାରଣ ପ୍ରଶାସନରେ ନବସୃଜନ, ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଭବିଷ୍ୟତର ସାର୍ବଜନୀନ ସମାଧାନକୁ ରୂପାନ୍ତରିତ କରିବା, ସୁଶାସନ, ଡିଜିଟାଲ୍ ପ୍ରଶାସନ ଆଦି ଉପରେ ଅଭିଜ୍ଞତା ବାଣ୍ଟିବା ଲାଗି ଏହା ଏକ ପ୍ରୟାସ । ରାଜ୍ୟଗୁଡ଼ିକର ପ୍ରତିନିଧି/ଜିଲ୍ଲାପାଳମାନଙ୍କୁ ରାଜ୍ୟଗୁଡ଼ିକର ସୁଶାସନ ଅଭ୍ୟାସ ଉପରେ ବ୍ୟାପକ ପ୍ରସାର ଏବଂ ସମ୍ଭାବ୍ୟ ଅନୁକରଣ ପାଇଁ ପ୍ରସ୍ତାବ ଉପସ୍ଥାପନା କରିବାକୁ ଏହି ଦୁଇ ଦିନିଆ ସମ୍ମିଳନୀ ନିମନ୍ତେ ଆମନ୍ତ୍ରିତ କରାଯାଇଛି ।