
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମରୁ ମେଗା ଲିଫ୍ଟ ପ୍ରକଳ୍ପ ଦାବିରେ ଅଣଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ନୂଆପଡ଼ା ଜିଲ୍ଲା ତରଫରୁ ଖଡ଼ିଆଳ ଶିକ୍ଷକ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ଖଡ଼ିଆଳ ଓ କୋମନା ବ୍ଲକର ସାନ ମହେଶ୍ୱର, ଝୋଲ ପଥର, ସୁନା ମୁଦି, ବେନ୍ଦ୍ରା ବାହାଲ, ବର ଗାଆଁ, ବଡ ମହେଶ୍ୱର, ଦେଓ ବାହାଲ୍, ଧରମ ସାଗର, ପଲସି ପାଣି, ଚାନ୍ଦୋପଲା, ପୋଡ଼ା ପାଲି, ଭୋଜପୁର, ସଗରିଆ ପଡ଼ା, ଝିତ୍ରି ଝୋଡା, ଚନାବେଡା ଆଦି ଗ୍ରାମର ଚାଷୀମାନେ ସାମିଲ ହୋଇଥିଲେ । ଚାଷୀ ଗୌତମ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚାଷୀ ନେତା ଅମ୍ବିକା ତ୍ରିବେଦି, ଅମରେଶ ପଟ୍ଟନାୟକ, ସିଦ୍ଧାର୍ଥ ଶଙ୍କର ମହାପାତ୍ର, ରାଜେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ତିଖାଲିରୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ । ଏହି ଗ୍ରାମ ସବୁ ଉକ୍ତ ଡ୍ୟାମରୁ ତିନିରୁ ଦଶ କିଲୋମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ ଚାଷ ଜମି ସବୁ ଜଳସେଚିତ ହୋଇ ପାରୁନି । ଅନ୍ୟ ପକ୍ଷରେ ଶହ ଶହ କିଲୋମିଟର ଦୂରରେ ଥିବା ଗାଁ ସବୁ ଜଳସେଚନ ସୁବିଧା ପାଉଛନ୍ତି । ଏନେଇ ଅନେକ ଥର ସରକାରଙ୍କ ପାଖରେ ଦାବି କରାଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡ଼ା କିଛି ମିଳୁନି । ପ୍ରତ୍ୟେକ ନିର୍ବାଚନରେ ପ୍ରାର୍ଥୀ ଓ ଦଳୀୟ କର୍ମକର୍ତ୍ତାମାନେ ଆସି ପ୍ରତିଶ୍ରୁତି ଦିଅନ୍ତି ଓ ନିର୍ବାଚନ ପରେ ଭୁଲି ଯାଉଛନ୍ତି । ଏନେଇ ସରକାର ଅତିଶିଘ୍ର ବିଚାର ନକଲେ ଭୋଟ ବର୍ଜନ ନିଷ୍ପତ୍ତି ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।