ନଜୁଲ ପଟ୍ଟାଦାର ସତ୍ୱକୁ “ରୟତି ସତ୍ୱରେ ପରିବର୍ତ୍ତନ ପାଇଁ ପଟ୍ଟାଦାର ବ୍ୟକ୍ତିମାନଙ୍କର ପ୍ରତିନିଧି ମଣ୍ଡଳଙ୍କ ସାମ୍ବାଦିକ ସମ୍ମିଳନୀ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହରର ହରିଭବନଠାରେ ପଟ୍ଟାଦାର ବ୍ୟକ୍ତିମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ୧୯୪୦-୪୨ ତତ୍‌କାଳୀନ ପାଟଣା ଗଡ଼ଜାତ ଷ୍ଟେଟ କଣ୍ଟାବାଞ୍ଜି ସହରକୁ ଏକ ସୁବ୍ୟବସ୍ଥିତ ସହର ସ୍ଥାପନ କରିବା ପାଇଁ କେତେକ ବ୍ୟକ୍ତି ବିଶେଷଙ୍କର ବ୍ୟକ୍ତିଗତ ମାଲିକାନା ଥିବା ଜମିକୁ ଭୂ-ଅର୍ଜନ ଆଇନ ବଳରେ ଅଧିଗ୍ରହଣ କରି ଯୋଜନା ମୁତାବକ ବିଭିନ୍ନ ବ୍ୟକ୍ତିଙ୍କୁ ନିଲାମ ସୂତ୍ରରେ ଘରଡିହ ଦେଇ “ନଜୁଲ” ପଟ୍ଟା ପ୍ରଦାନ କରିଥିଲେ । ସେହିଦିନଠାରୁ ଉଚିତ୍ ମୂଲ୍ୟରେ କିଣିଥିବା “ନଜୁଲ” ପଟ୍ଟାଧାରୀ ବ୍ୟକ୍ତିମାନେ ସେଠାରେ ତାଙ୍କର ଗୃହ ନିର୍ମାଣ କରି ଉତ୍ତରାଧିକାରୀ କ୍ରମେ ଭୋଗ ଦଖଲ କରି ଆସୁଛନ୍ତି । କିନ୍ତୁ ବିଗତ ୧୯୭୫ ମସିହାରେ ହୋଇଥିବା ଜମି ବନ୍ଦୋବସ୍ତ ସମୟରେ ଖାତିୟାନରେ ଏହି ସବୁ ଜମିର ସତ୍ଵ ପଟ୍ଟାଦାର ବୋଲି ଉଲ୍ଲେଖ କରାଗଲା ଓ ଅନେକ ଜମିକୁ ସରକାରୀ ଖାତାରେ ତ୍ରୁଟି ପୂର୍ଣ୍ଣ ରୂପେ ଦର୍ଶାଗଲା ଏଥିଯୋଗୁିଁ “ନଜୁଲ” ପଟ୍ଟା ପାଇଥିବା ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ସବୁ ଜମି ହସ୍ତାନ୍ତର, ବନ୍ଧକ ଇତ୍ୟାଦିରେ ସରକାର କଟକଣା କରୁଥିବାରୁ ଏହା ସହରର ଭିତ୍ତିଭୂମି ବିକାଶରେ ବାଧା ସୃଷ୍ଟି କରି ଅଞ୍ଚଳର ଅନ୍ୟାନ୍ୟ ବିକାଶମୂଳକ କାମରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । “ନଜୁଲ୍” କିସମ ପରି ଖାସମହାଲ୍, ଗ୍ରମକଣ୍ଠ ପରମ୍ବୋକ କିମ୍ବା ଆବାଦୀ ଜମିରେ ବସବାସ କରୁଥିବା ବ୍ୟକ୍ତିଙ୍କ ନାମରେ ସେହି ଜମିକୁ “ରୟତି” ସତ୍ଵରେ ରେକର୍ଡ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥା ଆବଶ୍ୟକ ସ୍ଥଳରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି । କିନ୍ତୁ କେତେକ ପ୍ରଶାସନିକ ଅଧିକାରୀ ନିଜର ସ୍ୱାର୍ଥ ସାଧନ ପାଇଁ ଏପରି ଜମିର “ରୟତି” ସତ୍ଵ ରେକର୍ଡ କରିବା ପ୍ରଣାଳୀକୁ ଅଧିକ ଜଟିଳ ତଥା ରହସ୍ୟମୟ କରୁଛନ୍ତି । ଯଦ୍ଵାରା ସରକାରଙ୍କ ମହତ ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ ଓ ଲୋକେ ହତାଶ ନିରାଶରେ ହନ୍ତସନ୍ତ ହୋଇ ପ୍ରତିକ୍ରିୟାଶୀଳ ହେବା ଦେଖାଯାଇଛି । ଏଥିଯୋଗୁଁ ଲୋକେ ବ୍ୟାପକ ଭ୍ରଷ୍ଟାଚାରର ଶିକାର ମଧ୍ୟ ହେଉଛନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ପରି ଜମିକୁ ସୁରୁଖୁରୁରେ “ରୟତି” ସତ୍ଵରେ ସହଜ ପ୍ରକ୍ରିୟା ଅବଲମ୍ବନ କରି ପରିବର୍ତ୍ତନ ହେଉଥିବା ବେଳେ ତାହା କେତେକ ପ୍ରଶାସନିକ ଅଧିକାରୀଙ୍କ ପାଇଁ କଣ୍ଟାବାଞ୍ଜିର ସତ୍ଵ ରେକର୍ଡ ପରିବର୍ତ୍ତନ ହୋଇପାରୁ ନାହିଁ । ଗଞ୍ଜାମ ଜିଲ୍ଲାର ଗ୍ରାମକାଣ୍ଠ ପରମ୍ବୋକ୍ ଜମିରେ ବସବାସ କରୁଥିବା ଲୋକଙ୍କୁ ସେଠିକାର ପ୍ରଶାସନ “ମିଶିନ ମୋଡ”ରେ ସତ୍ଵ ପ୍ରବୃତ୍ତ ଭାବେ “ରୟତି” ସତ୍ଵରେ ରେକର୍ଡ କରିଛନ୍ତି । ସେହିପରି ହଉସିଂବୋର୍ଡ ଜରିଆରେ ପଟ୍ଟାଦାର ଲୋକଙ୍କ ଜମିକୁ “ରୟତି” ସତ୍ଵରେ ପରିବର୍ତ୍ତନ କରିବାକୁ ଆଇନରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି । ପାଟଣା ଷ୍ଟେଟ ଗଡ଼ଜାତ ଆଇନରେ ମଧ୍ୟ ଘର ଡିହରେ ବସବାସ କରିଥିବା କରୁଥିବା ଲୋକଙ୍କୁ ଉଚ୍ଛେଦ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ପାଟଣା ଷ୍ଟେଟ ୧୯୪୮ ମସିହାରେ ଓଡ଼ିଶାରେ ମିଶ୍ରଣ ହେଲା ପରେ ଏହି ଅଞ୍ଚଳର ବହୁ ଜମିର ସତ୍ଵ ବିବାଦିତ ତଥା ତ୍ରୁଟିପୂର୍ଣ୍ଣ ରୂପେ ଉଲ୍ଲେଖ କରାଗଲା ଯାହାର ସଂଶୋଧନ କରିବା ନିହାତି ଆବଶ୍ୟକ ଅଟେ । ଏହି ସମସ୍ୟାର ସରଳ ସମାଧାନ ପାଇଁ ପଟ୍ଟାଦାର ଜମି ହିତାଧିକାରୀ ଏକ ପ୍ରତିନିଧି ମଣ୍ଡଳ କଣ୍ଟାବାଞ୍ଜି ତହସିଲଦାର, ବଲାଙ୍ଗିର ଜିଲ୍ଲାପାଳ, ଆର୍‌ଡିସି ସମ୍ବଲପୁର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ୫-ଟି ସଚିବଙ୍କୁ ଦାବି ପତ୍ର ଦେଇ ସରକାର ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରି କଣ୍ଟାବାଞ୍ଜି ସହର ଖତିୟାନରେ ଖାନ ନଂ ୩ରେ ଥିବା ପଟ୍ଟାଦାର ସତ୍ଵକୁ କଣ୍ଟାବାଞ୍ଜିର ସମସ୍ତ ପଟ୍ଟାଦାର ସତ୍ଵକୁ ବିଲୋପ କରି ତାହା ବଦଳରେ “ରୟତି” ସତ୍ଵରେ ରେକର୍ଡ କରିବାରେ ଦାବି କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏପରି ଯେଉଁ ପଟ୍ଟାଦାର ବ୍ୟକ୍ତିମାନେ ଏହାର ସତ୍ଵ ପରିବର୍ତ୍ତନ ପାଇଁ ତହସିଲ କୋର୍ଟରେ ବ୍ୟକ୍ତିଗତ ଆବେଦନ କରିଛନ୍ତି ତାହାର ମଧ୍ୟ ସମାଧାନ ନ କରି ବିଭିନ୍ନ ଆଳ ଦେଖାଇ ପ୍ରକ୍ରିୟାକୁ ଅଯଥା ଜଟିଳ କରୁଛନ୍ତି । ପ୍ରକାଶ ଥାଉ ଯେ, ୧୯୪୨ ମସିହାରର ନଜୁଲ ପଟ୍ଟାର ଉଚିତ୍ ରକ୍ଷଣାବେକ୍ଷଣ ଅଭାବରେ ବଲାଙ୍ଗିର ରେକର୍ଡ ରୁମ୍‌ରେ ଅଧିକାଂଶ ନଷ୍ଟ ହୋଇ ପାଇବା ବା ତାହାର ନକଲ ମଧ୍ୟ ଉପଲବ୍ଧ ନାହିଁ । ସେହିପରି ବିଗତ ବନ୍ଦୋବସ୍ତ ସମୟରେ କଣ୍ଟାବାଞ୍ଜି ଅଞ୍ଚଳର ବନ୍ଦୋବସ୍ତ ରେକର୍ଡ ବନ୍ୟାଜଳରେ ସମ୍ବଲପୁର ବନ୍ଦୋବସ୍ତ ରେକର୍ଡ ରୁମ୍‌ରେ ଅଧିକାଂଶ ନଷ୍ଟ ହୋଇଯାଇଛି । ତେଣୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କରର ପତ୍ର ନ -୭/୦୯/୨୦୧୯ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ଖତିୟାନରେ ଉଲ୍ଲେଖ ଥିବା ନଜୁଲ ଜମିର ପଟ୍ଟାଧାରୀ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ କ୍ରମେ ତାର ଉପଯୁକ୍ତ ମାଲିକାନାର ପ୍ରମାଣ ରୂପେ ଗ୍ରହଣ କରି ସେହିପରି ଜମିକୁ ରୟତି ସତ୍ତ୍ୱେ ପ୍ରଦାନ କରାଯାଇପାରିବ ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ସରକାର କଣ୍ଟାବାଞ୍ଜିର ସମସ୍ତ ପଟ୍ଟାଦାର ସତ୍ଵ ଥିବା ଜମିକୁ ସତ ପ୍ରକୃତ ଭାବେ ଏକ ସାଧାରଣ ବିଜ୍ଞପ୍ତି ଜରିଆରେ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ଏହି ଦାବି ପୂରଣ ତଥା ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଆବଶ୍ୟକ ସ୍ଥଳେ କଣ୍ଟାବାଞ୍ଜିବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ମଣ୍ଡଳ ସଦସ୍ୟ କଣ୍ଟାବାଞ୍ଜି ଓକିଲ ସଂଘର ସଭାପତି ସମିମ ଅହମ୍ମଦ ଖାନ, ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶର୍ମା, ଡକ୍ଟର ଗୋବିନ୍ଦ ଅଗ୍ରୱାଲ, ସମାଜସେବୀ କାହ୍ନୁ ଚରଣ ମିଶ୍ର, ମୁରିରାରିଲା ଅଗ୍ରୱାଲ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୁ ଜୈନ ବନମାଳୀ, ଅନିଲ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ବିଜୟ ଘୁମେରୀୟ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

twelve − eleven =