jayashree

ମା’ ଘଣ୍ଟାଶୁଣି ପରିବା ବିକାଳି ଆସୋସିଏସନ୍ ପକ୍ଷରୁ ଦାବୀ ପୂରଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ହାଟପଦାପଡ଼ା ଦୈନିକ ବଜାରରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଦୁଇ ବର୍ଷ ବିତି ଯାଇଥିଲେ ହେଁ ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ନ ଥିବାରୁ ପରିବା ବିକାଳିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେବା ଖାଲି ସାର ହେଉଥିବା ବେଳେ ପରିବା ବ୍ୟବସାୟୀଙ୍କ ଦୁଃଖ ଯଥା ଶୀଘ୍ର ଦୂର ହେବ ସେ ନେଇ କେହି ବି ତତ୍ପର ନୁହନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟବସାୟୀଙ୍କ କହିବା ଅନୁଯାୟୀ ବିଗତ ଦୁଇ ବର୍ଷ ତଳେ ସେତେବେଳର ଉପଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ୩ ମାସରୁ ୬ ମାସ ଭିତରେ ଏହି ବଜାରକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯିବା ନେଇ ଅର୍ଥ ଆସୁଛି, ଆପଣ ସହଯୋଗ କରନ୍ତୁ ବୋଲି କହିବାରୁ ତାଙ୍କ କଥାରେ ବିଶ୍ୱାସ କରି ନିଜେ ସ୍ୱତଃସ୍ପୃତ ଭାବେ ନିଜର ପସରା ତଥା ଦୋକାନ ଗୃହକୁ ଭାଙ୍ଗି ରାସ୍ତା କଡ଼ରେ, ଖରା, ବର୍ଷା, କାଦୁଅ ଭିତରେ ବସି ନିଜର ପେଟ ପୋଷିବା ପାଇଁ ରାସ୍ତା କଡ଼ରେ ବସି ପନିପରିବା ବିକ୍ରି କରୁଛୁ, ଅନ୍ୟପଟେ ସରକାର ଦୁନିଆ ଯୋଜନା କରି ବାଣ୍ଟୁଥିବା ବେଳେ ଯେଉଁ ବଜାର ଉପରେ ହଜାର ହଜାର ଚାଷୀ ନିର୍ଭର କରୁଛନ୍ତି ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନ କରିବା ଦୁର୍ଭଗ୍ୟଜନକ ଅଟେ । ଅନ୍ୟପଟେ ସହରର ହଟଲି ଛକଠାରେ ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ ତିଆରି କରିବା ପରେ ମଧ୍ୟ ସେଠାରେ ଗାଈଗୋରୁ କୁକୁରଙ୍କ ରହିବା ସ୍ଥଳି ପାଲଟିଛି, ଏପଟେ ହାଟପଦାପଡ଼ା ଦୈନିକ ବଜାରରେ ଦୋକାନ ଗୃହ ନିର୍ମାଣ ଶୀଘ୍ର କରିବାକୁ ଦୋକାନୀ ଦାବୀ କରୁଥିବା ବେଳେ ଯେଉଁ ଠିକାଦାରଙ୍କୁ କାମ ଦିଆଯାଉଛି ସେ ଦୁଇ ବର୍ଷ ବିତି ଯାଇଥିଲେ ହେଁ ସମ୍ପୂର୍ଣ୍ଣ ନ କରିବା ପରେ ତାଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୌର ପରିଷଦ ? ସେହିପରି ବଜାର ଭିତରେ ଆଦାୟ ହେଉଥିବା ଟିକସକୁ ନେଇ ମଧ୍ୟ ବ୍ୟାପାରି ଅସନ୍ତୋଷ ବୃଦ୍ଧି ପାଇଛି । ଏହିଭଳି ୧୧ଟି ଦାବୀ ସମ୍ବଳିତ ଏକ ଦାବୀପତ୍ର ପୌର ଅଧ୍ୟକ୍ଷା, ଉପଜିଲ୍ଲାପାଳ, ଜିଲ୍ଲାପାଳ, ବିଧାୟିକାଙ୍କ ନିକଟକୁ ଦିଆଯାଇଛି ।

ଯଦି ସାତ ଦିନ ମଧ୍ୟରେ ବଜାର ଭିତର ଦୋକାନ ଗୃହ ଓ ପିଣ୍ଡି ନିର୍ମାଣ ତଥା ଆବଣ୍ଟନ ପାଇଁ ପଦକ୍ଷେପ ନ ନିଅନ୍ତି ତା’ହେଲେ ଆଗାମୀ ସେପ୍ଟେମ୍ବର ୧ ତାରିଖରୁ ପୌର ପରିଷଦକୁ ଦୋକାନ ଭଡ଼ା ଓ ଟିକସ ଦେବୁ ନାହିଁ, ବିଦ୍ୟୁତ ବିଲ ଦେବୁ ନାହିଁ ଏବଂ ଯଦି ଦାବୀ ପୂରଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବୁ, ଯାହାବି ସ୍ଥିତି ଉପୁଜିିବ ସେଥିପାଇଁ ପୌର ପରିଷଦ ଓ ପ୍ରଶାସନ ଦାୟୀ ରହିବେ ବୋଲି ସଭାପତି ନିରାକାର ସରାଫ ସୂଚନା ଦେଇଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ଲକ୍ଷ୍ମୀଧର ବେହେରା, ସାଧାରଣ ସମ୍ପାଦକ ସୁଦାମ ସାହୁ, ସହସଂପାଦକ ସୁପ୍ରିୟା ସାହୁ, ନୀତେଶ ଜୈନ, କୋଷାଧ୍ୟକ୍ଷ ବିବେକ ଜୈନ, ଆଇନ ପରାମର୍ଶଦାତା ସତ୍ୟବ୍ରତ ପଣ୍ଡା, ଉପଦେଷ୍ଟା କୃଷ୍ଣଚନ୍ଦ୍ର ସରାଫ ଏବଂ ଦୈନିକ ବଜାରର ସମସ୍ତ ପରିବା ବିକାଳି ଏବଂ ବ୍ୟବସାୟୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.