
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧ ସ୍ଥିତ ଡ଼ିଭାଇନ ଲାଇଫ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ସଭାପତି କୁଞ୍ଜବିହାରୀ ସାହୁ, ସଭାପତି ଅମୁଲ୍ୟ କୁମାର, ପୂର୍ବତନ ପ୍ରଧାନ ଶିକ୍ଷକ ରମାକାନ୍ତ ମଲ୍ଲିକ, ପ୍ରଧାନ ଶିକ୍ଷକ ସୁନନ୍ଦା ସାମଲ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ, ରାଜଲଷ୍ମୀ ଦେବତା, ସ୍ଵର୍ଣ୍ଣଲତା ସାହୁ, ମମତା ମିଶ୍ର, ବାବାଜୀ ଦାସ, ପୁରାତନ ଛାତ୍ର ସସଂଦ ସଭାପତି ବିବେକାନନ୍ଦ ପଣ୍ଡା ଓ ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସଭାପତି, ପୂର୍ବତନ ସଭାପତି, ପ୍ରଧାନ ଶିକ୍ଷକ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୁଖ ବିକ୍ରାନ୍ତ କୁମାର ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀମତୀ ସାମଲ, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକ, ସଭାପତି ଓ ପୂର୍ବତନ ସଭାପତି ଆଦି ପିଲାମାନଙ୍କୁ ବିକ୍ରାନ୍ତଙ୍କର ଉଦାହରଣ ଦେଇ ଉପଦେଶ ମାଧ୍ୟମରେ ଜୀବନରେ ସଫଳ ହେବାପାଇଁ ପ୍ରରୋଚିତ କରିଥିଲେ । ସଫଳ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ନିଜର ସଫଳତା ପଛରେ ବିଦ୍ୟାଳୟର ଆଧ୍ୟାତ୍ମିକ ପରିବେଶ ଓ ଉଚ୍ଚକୋଟିର ଶିକ୍ଷାଦାନ କିପରି ସହାୟକ ତାହା ପିଲାମାନଙ୍କୁ କହିଥିଲେ । ତାଙ୍କର ପିତା ବିଜୟ କୁମାର ପାତ୍ର ଓ ମାତା ପୂର୍ଣ୍ଣିମା ପାତ୍ର ମଧ୍ୟ୍ୟ ନିଜର ପୁଅର ସଫଳତା ପାଇଁ ବିଦ୍ୟାଳୟର ଅବଦାନକୁ ଉଲେଖ କରିଥିଲେ । ଅତିଥି ଶିକ୍ଷକ ସନ୍ତୋଷ କୁମାର ନାୟକ ମଧ୍ୟ ପିଲାମାନଙ୍କୁ ସଫଳ ହେବାର ମନ୍ତ୍ର ଦେଇଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ବକ୍ରାନ୍ତକୁ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।