ସ୍ୱାଧୀନତା ସଂଗ୍ରାମୀ ପରିବାରମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗନ୍ନାଥସେନା ଓ ଅଙ୍କୁର ପରିବାର ତରଫରୁ ଆମକୋ ସିମକୋ ଘଟଣାରେ ସହିଦ ହୋଇଥିବା ପରିବାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି କବି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସଂପାଦକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଓ ସମାଜସେବୀ ରାମଚନ୍ଦ୍ର ନାୟକ, ହକି ଖେଳାଳୀ ଶ୍ରୀମତି ସୋରେନ, ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା, ଜିଲ୍ଲା କ୍ରୀଡାଧିକାରୀ ଅଭୟ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ ପରିବାରଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସହିଦଙ୍କ ଅବଦାନକୁ ମନେପକାଇ ଅତିଥିମାନେ କହିଲେ ଯେ ସ୍ୱାଧୀନତା ସଂଗ୍ରାମ ବେଳେ ତତ୍କାଳୀନ ବ୍ରିଟିଶ ରାଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସହିଦ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଆମ ପାଇଁ ଚିର ନମସ୍ୟ । ଏହାସହ ସେଠାରେ ଥିବା ସହିଦ ସ୍ତମ୍ଭ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ସେକ୍ଟର ୨ ଦୁର୍ଗାପୂଜା ପଡିଆଠାରେ ଦେଶାତ୍ମବୋଧ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଡକ ଓ ଗୃହନିର୍ମାଣ ମୁଖ୍ୟଯନ୍ତ୍ରୀ ମନୋଜ ମହାନନ୍ଦ ଓ ଶିକ୍ଷାବିତ ରାମାକାନ୍ତ ମଲ୍ଲିକ ଅତିଥି ଭାବେ ଯୋଗଦେଇ ସହରର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.