
ଛତ୍ରପୁର ବ୍ଲକର ୧୮ଟି ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ, ପରିମଳ ପାନୀୟଜଳ ସମସ୍ୟା ଏବଂ ବିଜୁଳିବତୀ ଜଳିବାରେ ଉତ୍କଟ ସମସ୍ୟା

- ଛତ୍ରପୁର ପଞ୍ଚାୟତ ସମିତ ବୈଠକରେ ଉଦବେଗ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ସଦର ଛତ୍ରପୁର ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସଙ୍କ ପୌରୋହିତ୍ୟରେ ଛତ୍ରପୁର ପଞ୍ଚାୟତ ସମିତିର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଉପାଧ୍ୟକ୍ଷ ଏସ୍.ଶାରଦା ରେଡ୍ଡୀ, ବିଡିଓ ସୁଶାନ୍ତ ବରାଳ, ଏବିଡିଓ ଜୟଶ୍ରୀ ନାୟକ ମଞ୍ଚାସୀନ ଥିଲେ । ଜିପିଇଓ ଅଶୋକ ଦାସ ବୈଠକ ସଂଯୋଜନା କରିଥିଲେ । ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ସେବା, ରାସନ କାର୍ଡ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଗୁରୁତ୍ୱର ସହକାରେ ଆଲୋଚନା ହୋଇଥିଲା । ହେଲେ ମୁଖ୍ୟତଃ ଛତ୍ରପୁର ବ୍ଲକର ୧୮ଟି ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ, ପରିମଳ ପାନୀୟଜଳ ସମସ୍ୟା ଦେଖାଦେଇଛି ଏବଂ ପ୍ରତି ପଞ୍ଚାୟତରେ ବିଦ୍ୟୁତ ଖୁଣ୍ଟମାନଙ୍କରେ ବିଜୁଳିବତୀ ଜଳିବାରେ ଉତ୍କଟ ସମସ୍ୟା ଦେଖାଦେଇଛି ବୋଲି ଗୃହରେ ଉଦବେଗ ପ୍ରକାଶ କରି ପଞ୍ଚାୟତ ସଦସ୍ୟମାନେ ବିଡ଼ିଓ, ବିଦ୍ୟୁତ ବିଭାଗୀୟ ଅଧିକାରୀ ତଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସାଂଗକୁ ଏହାର ତୀବ୍ର ବିରୋଧ କରିଥିଲେ । ପ୍ରତି ପଞ୍ଚାୟତରେ ଅର୍ପଣ ରଥ ବୁଲିବାରେ ଖର୍ଚ୍ଚ ପ୍ରସଙ୍ଗରେ ମଧ୍ୟ ପ୍ରତିନିଧି, ସଦସ୍ୟମାନେ ମତ ଉଠାଇଥିଲେ । ଏଭଳି ଅନେକ ତଥ୍ୟ ମାଗି ପଞ୍ଚାୟତ ସଦସ୍ୟଗଣ ଛତ୍ରପୁର ପଞ୍ଚାୟତ ସମିତ ବୈଠକରେ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାର ଯଥାଶୀଘ୍ର ସମାଧାନ ଓ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ । ଅଧିକାଂଶ ପଞ୍ଚାୟତରେ ପାନୀୟ ଜଳଯୋଗାଣ ସ୍ଥିତି ବିପନ୍ନ ବୋଲି ଅଭିଯୋଗ କରି ପଞ୍ଚାୟତ ପ୍ରତିନିଧିମାନେ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଗର୍ଜି ଥିଲେ । ବହୁ ପ୍ରକଳ୍ପ ଏବେ ଅଚଳ ସମାଧାନ ଦାବୀ କଲେ ହେଁ ପଞ୍ଚାଗତ ପ୍ରତିନିଧିଙ୍କ କଥା ଶୁଣାଯାଉନାହିଁ । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସ୍ଥାଣୁ ଅବସ୍ଥାରେ ରହିଛି । ସମିତି ବୈଠକରେ କିଛି ହେବ ନାହିଁ ବୋଲି ଗୁରାଳି ଉଠିଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀମାନେ ବୈଠକକୁ ଆସୁନାହାନ୍ତି । ରାସ୍ତାଘାଟର ସ୍ଥିତି ଉଦ୍ବେଗଜନକ, ନିମ୍ନମାନର ନିର୍ମାଣ ହେଉଛି ବୋଲି ମତ ଉଠିଥିଲା । ବାରମ୍ବାର ବିଡିଓଙ୍କୁ କୁହାଯାଉଛି ହେଲେ କେହିଁ ସେ ଶୁଣୁ ନାହାନ୍ତି ବୋଲି ଅଭିଯୋଗ ଉଠିଥିଲା । ତେବେ ସ୍ୱତନ୍ତ୍ର ବୈଠକ ଡକାଯାଇ ଏହା ଉପରେ ଆଲୋଚନା କରାଯାଉ ବୋଲି କୁହାଯାଇଛି । ଛତ୍ରପୁର ବ୍ଲକରେ ସ୍ୱାସ୍ଥ୍ୟାବସ୍ଥା ଦୟନୀୟ ହୋଇପଡିଛି । ବିଭିନ୍ନ ହସ୍ପିଟାଲମାନଙ୍କରେ ୨୪ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୬ ଜଣ ଛତ୍ରପୁର ବ୍ଲକରେ ୨୪ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ମାତ୍ର ୫ ଜଣ ରହିଛନ୍ତି । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ ଷ୍ଟାଫ ନର୍ସ ଆବଶ୍ୟକ, କାମ କରୁଛନ୍ତି ୨ ଜଣ । ୨ ଜଣ ଫାର୍ମାସିଷ୍ଟ ଅବଶ୍ୟକ, ମାତ୍ର ଜଣେ ଅଛନ୍ତି । ସେପଟେ ସୁନ୍ଦରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଅସୁଛନ୍ତି, ସେମାନେ ଦୁଇ ଘଣ୍ଟା ଡିୟୁଟି କରି ଘରକୁ ଚାଲିଯାଉଛନ୍ତି ବୋଲି ଅଭିଯୋଗ ଆସିଛି । ସୁରକ୍ଷା କର୍ମଚାରୀ ରୋଗୀଙ୍କୁ ଔଷଧ ଦେଉଛନ୍ତି । ଷ୍ଟିଚ୍ ପକାଉଛନ୍ତି ବୋଲି ଅଭିଯୋଗ କରିଥିଲେ, ସେଠାକାର ସରପଞ୍ଚ ଏବଂ ସମିତି ସଭ୍ୟ । ମୃତବ୍ୟକ୍ତିଙ୍କ ପ୍ରମାଣପତ୍ରକୁ ନେଇ ବୈଠକରେ ମତ ଉଠିଥିଲା । ମୃତବ୍ୟକ୍ତିଙ୍କ ପ୍ରମାଣ ପତ୍ର ପାଇଁ ବହୁତ ଅସୁବିଧା ହେଉଥିବା କୁହାଯାଇଛି । ଏହାର ଆପୋଷ ସମଧାନ ପାଇଁ ସମିତି ସଭ୍ୟ ଏସ୍.ଚକ୍ର ପାଣି ରେଡ୍ଡୀ ଅଭିଯୋଗ ଉଠାଇଥିଲେ । କେନ୍ଦ୍ର ସରକାର ପ୍ରଦାନ କରୁଥିବା ଭତ୍ତା ହିତାଧୀକାରୀଙ୍କ ବ୍ୟାଙ୍କ୍ ଖାତାକୁ ଗତ ୨ ମାସ ଧରି ଆସିନାହିଁ । ୮୦ ବର୍ଷ ବୟସ୍କ ହିତାଧିକାରୀଙ୍କୁ ଅଧିକା ୨୦୦ ଟଙ୍କା ମିଳୁନାହିଁ ବୋଲି ଅଭିଯୋଗ ହୋଇଥିଲା । ରାସନ୍ କାର୍ଡ ଆବେଦନ ପୋର୍ଟାଲ୍ ଖୋଲୁଛି । ଛତ୍ରପୁର ବ୍ଲକରେ ୪୨୩୮ ଜଣ ନୂତନ କାର୍ଡ ପାଇଁ ଆବେଦନ କରିଥିବା ବେଳେ ୫୨୦୦ ହିତାଧିକାରୀଙ୍କ କାର୍ଡ଼ ତଥ୍ୟ ଅମେଳକ ରହୁଛି । ରେଳବାଇ, ନାଭାଲ୍ କର୍ମଚାରୀଙ୍କ ସମେତ ଧନୀ ଶ୍ରେଣୀର କର୍ମଚାରୀମାନେ ରାସନ କାର୍ଡ ପାଇଥିବାବେଳେ ଗରିବଲୋକେ ଏଥିରୁ ବଞ୍ଚିତ ହେଉଥିବା ଦର୍ଶାଇ ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ବୈଠକରେ ନବୀନ ଓଡ଼ିଶା କର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ୧ କୋଟି ଟଙ୍କା ଦିଆଯିବ, ଏଣୁ ଏହାର ଏକ ବଜେଟ୍ ପ୍ରସ୍ତୁତ କରି ପ୍ରସ୍ତାବ ପଠାଇବାକୁ ପାଇଁ ବିଡିଓ ପ୍ରତି ପଞ୍ଚାୟତକୁ ଅନୁରୋଧ କରିଥିଲେ ।