ରାଉରକେଲା ପୋଲିସ୍ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ୍ ନିକଟରେ ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅଧୀନ ହୋଲୋମୁଲି ଗ୍ରାମର ମୋଙ୍ଗଡି ହୋନହାଗା (୧୯ ବର୍ଷ) ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ମହିଳା ମାଓବାଦୀଙ୍କ ଆତ୍ମସମର୍ପଣକୁ ନେଇ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ । ସୂଚନା ଅନୁସାରେ ସରଣ୍ଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ସିପିଆଇ (ମାଓବାଦୀ)ର ସଦସ୍ୟମାନେ ଯାଇ ପ୍ରାୟତଃ ରାସନ ସଂଗ୍ରହ କରୁଥିଲେ । ଲଜିଷ୍ଟିକ୍ ସପ୍ଲାୟରମାନଙ୍କ ମାଧ୍ୟମରେ ସେ (ମହିଳା ମାଓବାଦୀ ମୋଙ୍ଗଡି ହୋନହାଗା) ନକ୍ସଲମାନଙ୍କ ସହିତ ସମ୍ପର୍କରେ ଆସିଥିଲେ । ଅନମୋଲ ଓରଫ୍ ସୁଶାନ୍ତ ତାଙ୍କ ସହିତ ଅନ୍ୟମାନଙ୍କୁ ମାଓ ଦଳରେ ଭର୍ତ୍ତି କରିଥିଲେ । ଏସିଏମ୍ ଜୟକାନ୍ତ ଓରଫ୍ ଗୁଙ୍ଗା ଏବଂ ପାର୍ଟି ସଦସ୍ୟ ବିରସା ଓରଫ୍ ଜାଲୁଏ ଓ ମୁନିରାମ ମଧ୍ୟ ଅନମୋଲ ସହିତ ହୋଲୋମୁଲି ଗ୍ରାମକୁ ଆସି ଏହି ଭର୍ତ୍ତି ପ୍ରକ୍ରିୟାରେ ସହଯୋଗ କରୁଥିଲେ । ୨୦୨୬ ଜାନୁଆରୀ ୨୧ ତାରିଖରେ କୁମଡିହି ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀମାନଙ୍କ ମଧ୍ୟରେ ଘଟିଥିବା ଏକ ଏନକାଉଣ୍ଟର ସମୟରେ ମୋଙ୍ଗଡି ହୋନହାଗା, ଅନ୍ୟ ଦୁଇଜଣଙ୍କ ସହିତ ପଳାଇ ଯାଇ ଜଙ୍ଗଲରେ ଲୁଚି ରହିଥିଲେ । ପରେ ସେ ରାଉରକେଲା ପୋଲିସ୍ ସମ୍ମୁଖରେ ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ଦଳ ସହିତ ଜଡିତ ଥିଲେ । ସେ ବାଙ୍କୋ ପଥର ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ମଧ୍ୟ ଜଡିତ ରହିବା ସହିତ ଅନମୋଲ ଦଳର ଏକ ମାଓ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ବୋଲି ସୂଚନା ଦିଆଯାଇଛି । ରାଉରକେଲା ପୋଲିସ୍ ତାଙ୍କ ବିଷୟରେ ସୂଚନା ପାଇବା ପରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ମାଓବାଦୀ ଚିନ୍ତାଧାରା ପ୍ରତି ନିରାଶା, ଶାରୀରିକ ଓ ମାନସିକ ଉତ୍ପୀଡନର ସମ୍ମୁଖୀନ ହେବା ଏବଂ ଓଡିଶା ସରକାରଙ୍କ ସରେଣ୍ଡର ନୀତି ଓ ଲଗାତାର ସୁରକ୍ଷା ଅଭିଯାନର ପ୍ରଭାବରେ ସେ ସୂତ୍ରମାନଙ୍କ ସହଯୋଗରେ ରାଉରକେଲା ପୋଲିସ୍ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲେ । ଏହା ରାଉରକେଲା ସମେତ ଓଡିଶାରେ ପୂର୍ବରୁ ଘଟିଥିବା ସରେଣ୍ଡରମାନଙ୍କର ଏକ ଅନୁକ୍ରମର ଅଂଶ ଅଟନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ନକ୍ସଲବାଦକୁ ସମୂଳେ ନିର୍ମୂଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରକାଶ କରାଯାଇଛି । ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀ ମୋଙ୍ଗଡି ହୋନହାଗାଙ୍କ ନାମରେ, କେ. ବାଲାଙ୍ଗ ଥାନା ଅଧିନସ୍ଥ ବାଙ୍କୋ ପଥର ଖଣି ବିସ୍ଫୋରକ ଲୁଟ୍ ମାମଲା, କେ. ବାଲାଙ୍ଗ ଥାନା ଅଧୀନ ଦୁଇଟି ପୋଷ୍ଟରିଂ ମାମଲା, ରାଞ୍ଜେଡା ରେଳପଥ ଆଇଇଡି ବିସ୍ଫୋରଣ ମାମଲା ଏବଂ ବାଙ୍କୋରେ ସିଆରପିଏଫ୍ ଆଇଇଡି ବିସ୍ଫୋରଣ ମାମଲାର ସମ୍ପୃକ୍ତି ରହିଥିଲା ବେଳେ, ସେ ପାର୍ଟି ସଦସ୍ୟ (ପିଏମ୍) ସ୍ଥାନୀୟ ଗୁରିଲ୍ଲା ସ୍ପାଡ୍ ସଦସ୍ୟ ‌ (ଏଲ୍‌ଜି ଏସଏମ୍)ର ସଦସ୍ୟ ଥିବା ସୂଚନା ଦିଆଯାଇଛି । ମୋଙ୍ଗଡି ହୋନହାଗାଙ୍କ ପାଇଁ ପୁରସ୍କାର ଓ ପୁନର୍ବାସ ଯୋଜନା ଅନ୍ତର୍ଗତ “ବି” ଶ୍ରେଣୀରେ ଆସୁଥିବା ବେଳେ ଆତ୍ମ ସମର୍ପଣକାରୀଙ୍କୁ ସର୍ବମୋଟ ୨,୬୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିସହିତ ପୁନର୍ବାସ ଯୋଜନା ଅନୁସାରେ ବିବାହ, କୌଶଳ ଉନ୍ନୟନ (ସ୍କିଲିଂ), ସ୍ୱାସ୍ଥ୍ୟ କାର୍ଡ ଇତ୍ୟାଦି ସମ୍ବନ୍ଧୀୟ ସୁବିଧାମାନେ ମଧ୍ୟ ପ୍ରଦାନ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.