ଜାତୀୟ ଆଲୋଚନାଚକ୍ର ଓ ପ୍ରତିଭା ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆର ଜାତୀୟ ଆଲୋଚନାଚକ୍ର ଓ ସାରସ୍ଵତ ସମାରୋହ ପୁରୀ ସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି ଆଲୋଚନାସଭାରେ ଅତିଥି ଭାବେ ତାମିଲନାଡୁ ତିରୁଭନାମଲାଇ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ହରିହର କାନୁନଗୋ, ରାଉରକେଲା ସାମ୍ବାଦିକ ସଂଘର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଚଳଚ୍ଚିତ୍ର ଅଭିନେତା ଶ୍ରୀକାନ୍ତ ଗୌତମ, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସାମ୍ବାଦିକ ଅଶୋକ କୁମାର ଶତପଥୀ, ସମାଜସେବୀ ଶଶଧର ପଣ୍ଡା, ଆଦିମାତା କଳ୍ପନା, ହାସ୍ୟକବି ହାସ୍ୟ କୁମୁଦ ସମ୍ପଦ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ପ୍ରଦତ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମୁଖ୍ୟତଃ ଡ଼ଃ କାନୁନଗୋ ସନାତନ ନାମର ବିଶେଷତା ଯଥା ସ – ସତ୍ୟ, ନା- ନାମ, ତ- ତତ୍ୱ, ନ- ନକରାତ୍ମକ ଭାବ ନରଖି ସକରାତ୍ମକ ଭାବ ଗ୍ରହଣ ସମ୍ପର୍କରେ, ଶ୍ରୀ ରାଉତ ଭାଷା ସାହିତ୍ୟ ଓ ଅନୁଷ୍ଠାନର ଆଭିମୁଖ୍ୟ, ଅଭିନେତା ଗୌତମ ଖୁସି ରହିବା ଓ ଖୁସି ବାଣ୍ଟିବା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ପଣ୍ଡା ହାପି ମୋମେଣ୍ଟସ ଇଣ୍ଡିଆ ର ନାମର ସାର୍ଥକତା ସମ୍ପର୍କରେ ଆଲୋଚନା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ, ତଥା କୋଲକାତା, ଝାଡ଼ଖଣ୍ଡରୁ ଆସିଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ, ଡ଼ଃ ଏପିଜେ ଅବଦୁଲ କଲାମ ପ୍ରଫେସନାଲ ଆକ୍ଚିଭର ଆୱାର୍ଡ଼, ସାହିତ୍ୟ ସାରଥୀ ସମ୍ମାନ ଓ ବିଦ୍ୟାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ରାଉରକେଲାରୁ ସସ୍ମିତା ପ୍ରଧାନ, ମନୋଜ ଆଚାର୍ଯ୍ୟ, ପ୍ରବୀନ ଶର୍ମା, ସବିତା ପରିଡା, ମାଧବୀ ଚୌଧୁରୀଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ, ଅର୍ଚ୍ଚନା ଦେବତା, ବାସନ୍ତୀ ମହାନ୍ତି, ଡ଼ଃ ପବିତ୍ର ସାହୁଙ୍କୁ ଡ଼ଃ ଅବଦୁଲ କଲାମ ପ୍ରଫେସନାଲ ଆକ୍ଚିଭର ଆୱାର୍ଡ଼, ସୁଶାନ୍ତ କୁମାର ନାୟକଙ୍କୁ ସାହିତ୍ୟ ସାରଥୀ ସମ୍ମାନ, ବିଜୟ କୁମାର ସାହୁ ଓ ସୁଚିତ୍ରା ଦର୍ଜିଙ୍କୁ ବିଦ୍ୟାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କବି ଭାରତୀ ରମାକାନ୍ତ ସ୍ୱାଇଁଙ୍କ ପୁସ୍ତକ ରଥ ପଥ ଜଗନ୍ନାଥ ଓ ଜୀବନ ଜୁଇ, ଡ଼ଃ ଲୋପାମୁଦ୍ରା ଜେନାଙ୍କ ସମୟର ସୁଅ ତଥା ଶିକ୍ଷାବିତ ଗୋକୁଳ ବିହାରୀ ପୃଷ୍ଟିଙ୍କ ସଂକ୍ଷିପ୍ତ କାବ୍ୟ ରାମାୟଣ ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । କବି କୁଞ୍ଜବିହାରୀ ରାଉତ ଡ଼ଃ ଜେନାଙ୍କ ପୁସ୍ତକ ସମୟର ସୁଅକୁ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମରେ ଅତିଥି ଥିବା ତଥା କାର୍ଯ୍ୟକ୍ରମର ଦୁଇଦିନ ପୂର୍ବରୁ ଅବର୍ତ୍ତମାନ ହୋଇଥିବା ଦାର୍ଶନିକ ପଣ୍ଡିତ ଡ ନୀଳକଣ୍ଠ ରାଉତଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଶିବାନନ୍ଦ ବାରିକ ସଂଯୋଜକ ଭାବେ ଦାୟିତ୍ଵ ତୁଲାଇଥିଲେ ।

jittmm
Leave A Reply

Your email address will not be published.