ଏକାମ୍ର ପ୍ରତିଭା ରତ୍ନ ସମ୍ମାନ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଏକାମ୍ର ପ୍ରତିଭା ରତ୍ନ ସମ୍ମାନ ସମାରୋହ ଭୁବନେଶ୍ୱରର ଗୀତଗୋବିନ୍ଦ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସଭାପତିତ୍ୱ କରିଥିଲା ବେଳେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟଅତିଥି, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ସ୍ୱତନ୍ତ୍ର ଅତିଥି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍କଳମେଲର ସମ୍ପାଦକ ଡଃ. ପୀତବାସ ମିଶ୍ର, ଛତିଶଗଡ଼ର ଭାଷାବିତ ଡ. ମୀନକେତନ ଦାଶ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଲୋକନାଥ ମିଶ୍ର, ପ୍ରଶାସନିକ ଅଧିକାରୀ କାନନବାଳା ନାୟକ ଓ ସନ୍ଧ୍ୟାବତୀ ପ୍ରଧାନ, ସମାଜସେବୀ ବଂଶୀଧର ଜଗଦ୍ଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଭାପତି ଶ୍ରୀ ରାଉତ ସଭାପତିତ୍ୱ ଅଭିଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ, ଏହି ଅବସରରେ ଅନୁଷ୍ଠାନ ସହ ଜଡ଼ିତ ଥିବା ଦିବଙ୍ଗତ ଶଙ୍କର ପରିଡା, ପଣ୍ଡିତ ନୀଳକଣ୍ଠ ରାଉତ ଓ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ତଥା ଆତ୍ମାର ସଦଗତି କାମନା କରି ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥି ଅନୁଷ୍ଠାନର ସମାଜ ପ୍ରତି ପ୍ରତିବଦ୍ଧତା, ଖୁସି ବାଣ୍ଟିବା, ପରିବେଶ ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସୁଦୀପ ସାହୁ, ଜୟଶ୍ରୀ ଧଳ ହ୍ୟୁମାନ ସାଗର ଗାଇଥିବା ଗୀତ ଗାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତର ଆମେରିକାର ସଞ୍ଜୟ ଦଳେଇ, ହାଇଦ୍ରାବାଦରୁ ଆସିଥିବା ରାଜା ସୁଧାକର ରାଚପୁଡି ଓ ଚେରକୁ ବିଜୟଲକ୍ଷ୍ମୀ, ମଞ୍ଜୁଳା ତ୍ରିପାଠୀ, ସୁରେନ୍ଦ୍ର ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଯଥା ଶିକ୍ଷା, ସାହିତ୍ୟ, ସମାଜସେବା, କ୍ରୀଡା, ସଂଗୀତ, କଳା ସଂସ୍କୃତିରେ ପାରଦର୍ଶିତା ଲଭିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ରାୟଗଡାରୁ ଆସିଥିବା ଶିକ୍ଷକ ପ୍ରଦୀପ ଚୌଧୁରୀଙ୍କ ପୁସ୍ତକ ଅନୁସନ୍ଧାନକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆରଜୁ ବିବି, ସବିତା ମହାନ୍ତି, ରାନୀ ଗାଙ୍ଗୁଲି ଓ ବେବିନା ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ପୁରୀ ଜିଏସଟି ଯୁଗ୍ମ କମିଶନର ଡ. ପଦ୍ମଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.