ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସଚେତନତା ଶୋଭାଯାତ୍ରା ସହିତ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି । ସମାଜସେବା କାର୍ଯ୍ୟକ୍ରମର ସ୍ନାତକ ଓ ସ୍ନାତକୋତ୍ତର ବର୍ଗ ପାଇଁ ସଂଯୋଜିକା ତଥା ଅଧ୍ୟାପିକା ରାମେଶ୍ୱରୀ ଭୋଇ ଏବଂ ଯୁକ୍ତଦୁଇ ପାଇଁ ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଉଦ୍ଘାଟନ କରିଛନ୍ତି । ଯୁକ୍ତଦୁଇ ବର୍ଗର ଛାତ୍ର ଛାତ୍ରୀମାନେ ନିଶା ସେବନରୁ ଦୂରେଇ ରହିବା ସମ୍ପର୍କରେ ଏକ ସଚେତନତା ଶୋଭାଯତ୍ରାରେ ଯୋଗଦେଇଥିଲେ । ସ୍ଥାନୀୟ ସିଭିଲ୍ ଟାଉନସିପ୍ ସ୍ଥିତ ଯୋଗ ପାର୍କ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଛାତ୍ର ଛାତ୍ରୀମାନେ ପହଞ୍ଚିଥିଲେ । ଏହା ସହିତ ମାନସିକ ସ୍ୱାସ୍ଥ୍ୟ ଓ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ବାର୍ତ୍ତାର ପ୍ରଚାର ନିମନ୍ତେ ଦୁଇଟି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ । ଅଧ୍ୟାପିକା ନମିତା ସ୍ୱାଇଁ, ଚହ୍ନାତି ତିର୍କୀ ଓ ଗ୍ଲାଡ୍ସି ବେକ୍ ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହିଭଳି ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାବିଦ୍ୟାଳୟ ନିକଟରେ ଥିବା ରୋଟାରୀ ଛକ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ । ଏହା ସହିତ କିଛି ସମୟ ପାଇଁ ଛକରେ ରହି ରାସ୍ତାରେ ଯାଉଥିବା ବିଭିନ୍ନ ବର୍ଗର ଗାଡ଼ିଚାଳକମାନଙ୍କୁ ହେଲ୍ମେଟ୍ ଓ ସିଟ୍ବେଲ୍ଟ୍ ପିନ୍ଧିବା ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଡ.ସ୍ମୃତି ସ୍ନିଗ୍ଧା ମିଶ୍ର, ଡ.ବିଶ୍ୱନାଥ ପରିଜା ଏବଂ ଅନିତା ଜୈନ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନା କରିଥିଲେ ।