ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ ସେକ୍ଟର ୨ ଲାଲ୍ ଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ମଣ୍ଡଳ ସଦସ୍ୟ ସୀମାଞ୍ଚଳ ବିଶ୍ୱାଳ ବାସନ୍ତୀ କଲୋନୀ ସ୍ଥିତ ସମାଜ ଓ ମା’ ଖମ୍ବେଶ୍ଵରୀ ମନ୍ଦିରରେ ଜାତୀୟ ପତାକା ଓ ପୂଜକ ଖଗେନ୍ଦ୍ରଙ୍କ ଦ୍ଵାରା ମା’ଙ୍କ ପୂଜାସ୍ଥଳରେ ଆସ୍ଥାନ ପ୍ରଦାନ କରାଯାଇଥିଲା । ମଣ୍ଡଳ ସଭାପତି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅତିଥି ଓ ସମସ୍ତ ପଲ୍ଲୀ କମିଟିର ସଭାପତି ତଥା କର୍ମକର୍ତ୍ତାଙ୍କ ଉପସ୍ଥିତିରେ କୂଳ ଧ୍ଵଜା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ନଗରପାଳ ନିହାର ରାୟ, ଧାମରା ସଂଘ ସମ୍ପାଦକ ଭଗବାନ ରାଉତ, ବାଣାୟତ ସମାଜର ସଭାପତି ଅଭିରାମ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଐକ୍ୟବଦ୍ଧତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଭାକର ରାଉତ ଓ ବିପ୍ରଚରଣ ବିଶ୍ୱାଳଙ୍କ ମଂଚ ପରିଚାଳନାରେ ରାଜ୍ୟର ବିଭିନ୍ନ ମଣ୍ଡଳୀରୁ ଆସିଥିବା ଅତିଥିମାନେ ନିଜ ନିଜର ସାଂଗଠନିକ ବାର୍ତ୍ତା ପ୍ରଦାନ କରିଥିଲେ । ସମ୍ପାଦକ ବାବୁଲା ଖଣ୍ଡୁଆଳ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ଜେନା, ସଂଗଠନ ସମ୍ପାଦକ ଉପେନ୍ଦ୍ର ନାୟକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସମାଜ ପ୍ରତି ଅବଦାନ ପାଇଁ ଇଂ ପ୍ରଭାକର ରାଉତ, କବିଚନ୍ଦ୍ର ରାଉତ, ଦୀନବନ୍ଧୁ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଭ୍ୟର୍ଥନା କମିଟିର ସଭାପତି ନିରଞ୍ଜନ ବିଶ୍ୱାଳ, ସାନୁଜ ନାୟକ, ସୁଜନ ବାରିକ, ଶଙ୍କର ମହାନ୍ତି, ରାକେଶ ନାୟକ, ଦିବାକର ନାୟକ, ପୁରୁଷୋତ୍ତମ ପାତ୍ର, ବୁଦ୍ଧିରାମ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ନାରାୟଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.