ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସାହିତ୍ୟିକମାନେ ବଳିଷ୍ଠ ସାହିତ୍ୟ ସୃଷ୍ଟି ପାଇଁ ସାଧନାରତ ହେବା ନିହାତି ଆବଶ୍ୟକ । କାରଣ ଏଭଳି ସାହିତ୍ୟ ହିଁ ସମାଜକୁ ସୁଧାରିପାରିବ । କଟକ ଶ୍ରୀରାମଚନ୍ଦ୍ର ଭବନରେ ବାଲେଶ୍ୱରର ‘ସାହିତ୍ୟିକ କବିବନ୍ଧୁ ପରିବାର’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ପ୍ରଫେସର ଡ. ହରିହର କାନୁନଗୋ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ଆଲୋଚନାଚକ୍ର, ପ୍ରତିଭା ପୂଜନ, ପତ୍ରିକା ଓ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏଥିରେ ଡ. ନିରଞ୍ଜନ ସାହୁ ମୁଖ୍ୟବକ୍ତା, ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ୱାଳ, ଡ. ସୁଷମା ମିଶ୍ର ଓ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ସମ୍ମାନିତ ଅତିଥି, ଡ. ରବିନାରାୟଣ ପଣ୍ଡା ସମ୍ମାନିତ ବକ୍ତା, ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ବରେଣ୍ୟ ଅତିଥି ଓ ଡ. କୃଷ୍ଣଚନ୍ଦ୍ର ପାତ୍ର ବରେଣ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ସଂପାଦିକା ପ୍ରଣତି ମହାପାତ୍ର ସଂପାଦକୀୟ ବିବରଣୀ ପ୍ରଦାନ କରିବା ସାଙ୍ଗେ ସାଙ୍ଗେ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ହେମନ୍ତ କୁମାର ସାହୁ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରୀତା ଅପରାଜିତା ମହାନ୍ତି ଓ ବିଦ୍ୟାଧର ଖଟୁଆ ସଂଯୋଜନା କରିଥିଲା ବେଳେ ବିଷ୍ଣୁପ୍ରିୟା ପଣ୍ଡା ଶାନ୍ତିପାଠ କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । କବିମାନଙ୍କୁ ପ୍ରଶଂସାପତ୍ର ଓ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
Next Post