jayashree

ସାହିତ୍ୟ ଓ ସମାଜ ପରସ୍ପର ନିର୍ଭରଶୀଳ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ମନର ଭାବକୁ ପ୍ରକାଶ କରିବା ପାଇଁ ସୃଷ୍ଟି ହୋଇଥିଲା ଭାଷା । ଏହି ଭାଷା ହିଁ ଥିଲା ମାନବ ଜାତିର ବିକାଶର ମାଧ୍ୟମ । କାଳକ୍ରମେ ଭାଷାରେ ବିକାଶ ଘଟି ସୃଷ୍ଟି ହେଲା ସାହିତ୍ୟ ଆଉ ମାନବ ଜାତି ବିକାଶରେ ସୃଷ୍ଟି ହେଲା ସମାଜ । ସାହିତ୍ୟ ଓ ସମାଜ ପରିପୂରକ ଓ ପରସ୍ପର ନିର୍ଭରଶୀଳ । ଯେତେବେଳେ ସମାଜ ବିପଥଗାମୀ ହେଇଛି, କବି ଲେଖକମାନେ ସାହିତ୍ୟ ମାଧ୍ୟମରେ ସମାଜକୁ ସଜାଡିବାକୁ ଚେଷ୍ଟା କରିଛନ୍ତି । ଏହା ଥିଲା ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସରରେ ମୁଖ୍ୟ ବକ୍ତା ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ବକ୍ତବ୍ୟ । ବିଜୟ ବରାଳଙ୍କ ଆବାହକତ୍ୱରେ ତଥା ଭୁପେନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ବକ୍ତା ବିଜୟିନୀ ଜେନା ରାଜାରାଜୁଡ଼ାଙ୍କ ଠାରୁ ସାହିତ୍ୟ ସୃଷ୍ଟି କରିବା ପାଇଁ କିପରି ପ୍ରସଙ୍ଗମାନ ମିଳୁଥିଲା ତାହା ବର୍ଣ୍ଣନା କରିଥିଲେ । ଅନ୍ୟତମ ବକ୍ତା ଶ୍ରୀମତୀ ମଞ୍ଜୁଳା ରଥ କହିଥିଲେ ସାହିତ୍ୟ ବିନା ସମାଜ ତିଷ୍ଟି ପାରିବନି କି ସମାଜ ବିନା ସାହିତ୍ୟର ବିକାଶ ଅସମ୍ଭବ । ଦ୍ୱିତୀୟ ପର୍ଯ୍ୟାୟରେ କବି ଅର୍ଚ୍ଚନା ପାତ୍ର ଓ ଗାଳ୍ପିକା ସୁପ୍ତି କରଙ୍କ ସଂଯୋଜନାରେ ଗଳ୍ପ ପାଠ କରିଥିଲେ ବିକ୍ରମ ଆଚାର୍ଯ୍ୟ, ବିଜୟିନୀ ଜେନା ଏବଂ ସଯୋଜିକା ଦ୍ୱୟ, କବିତା ପାଠ କରିଥିଲେ ପ୍ରତାପ ପଣ୍ଡା, ପ୍ରଫୁଲ୍ଲ ସାମଲ, ବସନ୍ତ ବିଶ୍ଵକର୍ମା, ସୁଶାନ୍ତ କୁମାର ନାୟକ, ଅଜୟ କୁମାର ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ନବ କିଶୋର ପାଣି, ଦୁର୍ଯ୍ୟେଧନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ, ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.