ସେଲ୍ୟୁଟ୍‌ ଟ୍ରକ୍‌ ଡ୍ରାଇଭର ବୀରସିଂ : ୨୪ ଘଂଟାରେ ଦୀର୍ଘ ୧୧ ଶହ ୮୦ କିଲୋମିଟର ଗାଡ଼ି ଚଳାଇ ପହଂଚାଇଲେ ଅକ୍‌ସିଜେନ୍‌, ରକ୍ଷା କଲେ ସହସ୍ରାଧିକ ରୋଗୀଙ୍କ ପ୍ରାଣ

ରାଉରକେଲା, (କେପିଏନ୍‌ଏସ୍‌) : ଟ୍ରକ୍‌ ଚାଳକ ବୀରସିଂ ଏଭଳି ଜଣେ ଚରିତ୍ର, ତାଙ୍କୁ ହଜାରେ ସେଲ୍ୟୁଟ୍‌ କରିବାକୁ ଚାହିଁବେ ସମସ୍ତ ଭାରତୀୟ । ସେ ରାଉରକେଲାରୁ ମଧ୍ୟପ୍ରଦେଶର ସାଗର ପର୍ଯ୍ୟନ୍ତ ଦୀର୍ଘ ୧୧ ଶହ ୮୦ କିଲୋମିଟର ଯାତ୍ରାକୁ ମାତ୍ର ୨୪ ଘଂଟାରେ ଅତିକ୍ରମ କରି ପହଂଚାଇଛନ୍ତି ଅମ୍ଲଜାନ ଏବଂ ରକ୍ଷା କରିଛନ୍ତି ସହସ୍ରାଧିକ ରୋଗୀଙ୍କ ପ୍ରାଣ । ଅକ୍‌ସିଜେନ୍‌ ପାଇଁ ସାରା ଦେଶରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍‌ସିଜେନ୍‌ର ଅହେତୁକ ଅଭାବ ବଡ଼ ବଡ଼ ଚିକିତ୍ସାଳୟର ନିଦ ହଜେଇ ଦେଇଛି । ଅକ୍‌ସିଜେନ୍‌ ଅଭାବରୁ ପ୍ରତ୍ୟହ ଦେଶର ବିଭିନ୍ନ ଡାକ୍ତରଖାନାରେ ବହୁ ସଂଖ୍ୟାରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟୁଥିବା ଖବର ସାରା ଦେଶରେ ଚହଳ ସୃଷ୍ଟି କରିଛି । ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଷ୍ଟିଲ୍‌ ପ୍ଲାଣ୍ଟ ଗୁଡ଼ିକୁ ଅକ୍‌ସିଜେନ୍‌ ଉତ୍ପାଦନର ଦାୟିତ୍ୱ ଦିଆଯାଇଛି । ତେବେ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ହସ୍‌ପିଟାଲ୍‌ରେ ଅକ୍‌ସିଜେନ୍‌ର ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ୨୪ ଘଂଟା ଭିତରେ ସେଠାରେ ଅକ୍‌ସିଜେନ୍‌ ନ ପହଂଚିଲେ, ବଡ଼ ଧରଣର ଅଘଟଣର ଆଶଙ୍କା ରହିଥିଲା । ଏଭଳି ସମୟରେ ବିସ୍ମୟ ଟ୍ରକ୍‌ ଚାଳକ କରୋନା ଯୋଦ୍ଧା ବୀରସିଂ ତାଙ୍କର ସାହସିକତା ପ୍ରଦର୍ଶନ କରିଛନ୍ତି । ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରୁ ୨୪ ଘଂଟାରେ ୧୧୮୦ କିଲୋମିଟର ଯାତ୍ରା କରି ଟ୍ରକ୍‌ ଯୋଗେ ପହଂଚାଇଛନ୍ତି ଅକ୍‌ସିଜେନ୍‌ ଓ ବଂଚେଇ ଦେଇଛନ୍ତି ସହସ୍ରାଧିକ ଜୀବନ । ଦୀର୍ଘ ୨୪ ଘଂଟା ଧରି ଖାଇଲେ ନାହିଁ, ଶୋଇଲେ ନାହିଁ… କେବଳ ତାଙ୍କର ଲକ୍ଷ୍ୟ ଥିଲା ଅକ୍‌ସିଜେନ୍‌ ପହଂଚାଇବା । ଶେଷରେ ସଫଳ ହେଲେ ବୀରସିଂ ଓ ତାଙ୍କ ସହାୟକ ତୁଲାରାମ । ବଂଚାଇଦେଲେ ସହସ୍ରାଧିକ ଅମୂଲ୍ୟ ଜୀବନ ।

Leave A Reply

Your email address will not be published.