centurian jitm

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୭ ମାର୍ଚ୍ଚ ୨୦୨୫ ଦିନ ଏକ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି । ଆରବିଆଇ ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏସଏଲବିସି ଓଡ଼ିଶାର ଆବାହକ ତଥା ମହାପ୍ରବନ୍ଧକ ଗୌତମ ପାତ୍ର, ଏସବିଆଇ ଡିଜିଏମ ସନ୍ଦୀପ କୁମାର ଚୌବେ, ୟୁବିଆଇ ଏଜିଏମ ବଂଶୀଧର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାପରେ ଜିଏମ୍ ଆରବିଆଇ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଭାଷଣ ଦେଇଥିଲେ । ନିଜ ଅଭିଭାଷଣରେ ସେ ଜଈଓଅ୯୦ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଆର୍ଥିକ ସାକ୍ଷରତା ପାଇଁ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ପ୍ରକାର ସାଇବର ଠକେଇ ରୋକିବା ପାଇଁ ଆର୍ଥିକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନତାର ଆବଶ୍ୟକତା ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ସମେତ ଅନ୍ୟ ଅତିଥିମାନେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗ୍ରୁପ୍‌ ୪୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ତିନୋଟି ବିଭାଗ ଯଥା ଏଫ୍ଆଇଡିଡି, ଡିଓଏସ୍ ଓ ଆଇବିଡିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଟେଂଡର ସମ୍ପର୍କରେ ଅବଗତ କରାଯାଇଥିଲା । ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଫୋନ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥିକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା । ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ମଧ୍ୟ ବ୍ୟବହାର କରାଯାଇଥିଲା । କାର୍ଯ୍ୟକ୍ରମଟି ଇଣ୍ଟରଆକ୍ଟିଭ୍ ଥିଲା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏଲଡିଏମ, ଏଫଏଲସି, ସିଏଫଏଲ ଏବଂ ଅନ୍ୟାନ୍ୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.