ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ରୟାଲ ପଡିଆଠାରେ ଇଙ୍କଫେଷ୍ଟ୍ ୨୦୨୬ ଉଦଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ଓ ଇଙ୍କଫେଷ୍ଟ୍ ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସାରସ୍ୱତ ମେଳାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଉଦଘାଟନ କରି ସୁବର୍ଣ୍ଣପୁରରେ ବହିମେଳା ନିହାତି ଆବଶ୍ୟକ, ଏହା ହେଉଛି ସାହିତ୍ୟକ ଓ ସାଂସ୍କୃତିକ ମାଟି, ବହି ଆମକୁ ଲେଖକ ସହିତ କଥାକରାଏ, ବହି ଜୀବନକୁ ସୁନ୍ଦର କରିବାରେ ସହାୟ ହୁଏ ବୋଲି ମତ ରଖି ମଣିଷର ଦୃତ ଜୀବନକୁ ମନ୍ଥର କରିବାପାଇଁ ବହି ହିଁ ଉପଯୁକ୍ତ ମାଧ୍ୟମ ବୋଲି ଜିଲ୍ଲାପାଳ ଡ. ସାହୁ କହିଥିଲେ । ପ୍ରଥମେ ଇଙ୍କଫେଷ୍ଟର ସଦସ୍ୟ ଗତିକୃଷ୍ଣ ମିଶ୍ରଙ୍କ ଦ୍ଵାରା ଆହୁତ ପ୍ରତିଷ୍ଠାତା ସଭ୍ୟ ସ୍ଵର୍ଗତ ଗୌରୀଶ୍ୟାମ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସ୍ଵର୍ଗତ ପଣ୍ଡାଙ୍କ ସ୍ମୃତିରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଇଙ୍କଫେଷ୍ଟର ସଭାପତି ସ୍ଵାଧୀନ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ, ଅଞ୍ଜଳିନା ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମଣ ମିଶ୍ର ଯୋଗଦେଇଥିଲେ । ଶେଷରେ ଗୋବିନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିଙ୍କ ଦ୍ଵାରା ସ୍ଵର୍ଗତ ଗୌରୀଶ୍ୟାମ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ପୁସ୍ତକ ଓ ଗାଳ୍ପିକ ଡ. ଜ୍ୟୋତି ରଞ୍ଜନ ବହିଦାରଙ୍କ ଲିଖିତ ଗଳ୍ପ ସଂକଳନ ଦାହ ଉନ୍ମୋଚିତ ହୋଇଥିଲା । ଚଳିତ ବର୍ଷ ୮୪ଟି ପୁସ୍ତକ ପ୍ରକାଶନୀ ସଂସ୍ଥା ଇଙ୍କଫେଷ୍ଟାର ନିଜନିଜ ଷ୍ଟଲ ଖୋଲିଥିବାରୁ ଜିଲ୍ଲାର ସମସ୍ତ ପାଠକ ମହଲ ଖୁବ୍ ଉଲ୍ଲସିତ ଥିବା ଦେଖାଯାଇଛି ।