ସହିଦ୍‌ ମନୋଜ କୁମାର ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଏସଏପି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚର ପୂର୍ବତନ ବିଦ୍ୟାର୍ଥୀ ତଥା ଭାରତୀୟ ନୈାସେନାର ପଦସ୍ଥ ଅଧିକାରୀ ସହିଦ୍ ମନୋଜ କୁମାର ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହିଦ୍‌ ଶ୍ରୀ ସ୍ୱାଇଁଙ୍କ ଉତ୍ସର୍ଗୀକୃତ ତ୍ୟାଗ, ସେବା, ସମର୍ପଣ ଓ ଦେଶଭକ୍ତି ଆଜି ଆମ ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ଓ ରହିବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ସହିଦ୍‌ଙ୍କ ପ୍ରିୟ ଶିକ୍ଷାନୁଷ୍ଠାନ ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲା ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉଚ୍ଚ ବିଦ୍ୟାଳୟର ଦୁର୍ଗ ପରିବାର କଲ୍ୟାଣ କେନ୍ଦ୍ରର ସଭାପତି ସାଗରିକା ମଲ୍ଲିକ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ସମ୍ମାନିତ ଅତିଥିଗଣଙ୍କ ମଧ୍ୟରେ ତତ୍କାଳୀନ ଓ.ଏମ୍.ପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ମଣ୍ଡଳ ସହ ଶିକ୍ଷା ଅଧିକାରୀ କୁଞ୍ଜବିହାରୀ ରାଉତ, ସହିଦ୍ ମନୋଜ କୁମାର ସ୍ୱାଇଁଙ୍କ କନିଷ୍ଠ ଭ୍ରାତା ଚିତ୍ତରଞ୍ଜନ ସ୍ୱାଇଁ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପଦ୍ମନାଭ ଦାଶଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ରଞ୍ଜନା ଖେସ୍ ଓ ଜ୍ୟୋତ୍ସ୍ନା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପରେ ଅତିଥିଗଣ ପବିତ୍ର ଆତ୍ମାଙ୍କୁ ସମବେତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ର ସଂସଦ ତରଫରୁ ୩୦ତମ ବ୍ୟାଚର ବିଦ୍ୟାର୍ଥୀ ସୁଶ୍ରୀ ଅର୍ପିତା ବେହେରା ମାତୃଭୂମିର ସୁରକ୍ଷାରେ ନିୟୋଜିତ ଅଗଣିତ ସୈନ୍ୟମାନଙ୍କ ଅତୁଳନୀୟ ଅବଦାନ ଓ ଯୋଗଦାନକୁ ନେଇ ନିଜର ହୃଦୟର ଅଭିବ୍ୟକ୍ତିକୁ ଉପସ୍ଥାପନା କରି ଅତିଥିଗଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ନିଜର ବିଦ୍ୟାର୍ଥୀ ଜୀବନ, ଶିକ୍ଷକତା ଜୀବନ ଏବଂ ସହିଦ ମନୋଜ ସ୍ୱାଇଁଙ୍କ ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରିବା ସହ ଆଜିର ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଜଣାଇଥିଲେ । ସହିଦ୍‌ଙ୍କ କନିଷ୍ଠ ଭ୍ରାତା ଶ୍ରୀ ସ୍ୱାଇଁ ନିଜର ଭାଇଙ୍କ କର୍ମମୟ ଜୀବନ ତଥା ନିଜର ବିଦ୍ୟାର୍ଥୀ ଜୀବନର ସ୍ମୃତି ଚାରଣ କରି ପ୍ରତିବର୍ଷ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ସହ ସ୍ୱର୍ଗୀୟ ସହିଦ୍‌ ମନୋଜ କୁମାର ସ୍ୱାଇଁ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସହିଦ୍‌ ଶ୍ରୀ ସ୍ୱାଇଁଙ୍କ ବିଦ୍ୟାର୍ଥୀ ଜୀବନରେ ତାଙ୍କୁ ଶିକ୍ଷାଦାନ ସହ ଦିଗଦର୍ଶନ ପ୍ରଦାନ କରିଥିବା ପୂଜ୍ୟଗୁରୁ କୁଞ୍ଜବିହାରୀ ରାଉତ, ପଦ୍ମନାଭ ଦାସ, ଉମାକାନ୍ତ କରଣ, ବିକାଶ ଚନ୍ଦ୍ର ମହାନ୍ତି ଓ ସୁଶାନ୍ତ କୁମାର ବିଶ୍ୱାଳ ନିଜର ଅଭିବ୍ୟକ୍ତି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟର ତିନିଜଣ କୃତି ବିଦ୍ୟାର୍ଥୀଙ୍କ ସମେତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର ତିନି ସଫଳ ପ୍ରତିଯୋଗୀଙ୍କୁ ଅର୍ଥ ରାଶିରେ ସମ୍ମାନିତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକାଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.