ନିଟ୍‌ ପରୀକ୍ଷାରେ ସଫଳତା ପାଇ ଟିଟିଲାଗଡ଼ ସହରର ଗୌରବ ସାଜିଲେ ଜନ୍ମେଜୟ ସେଠ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ନିଜ ପିଲାଙ୍କ ଭବିଷ୍ୟତ କିପରି ଗଢି ତୋଳିବେ, ସେଥିପାଇଁ ସବୁ ଅଭିଭାବକ ଚେଷ୍ଟାରତ ଥାଆନ୍ତି । ସମସ୍ତ ଅଭିଭାବକଙ୍କ ଭଳି ଟିଟିଲାଗଡ ସହରର ୱାର୍ଡ ନମ୍ବର ୧୨ ଝାଙ୍କରପଡା ନିବାସୀ ଗରିବ ଦମ୍ପତିଙ୍କ ପୁଅ ଆଜି ନିଟ୍‌ ପରୀକ୍ଷାରେ ସଫଳତା ପାଇବା ସହ ନିଜ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି ।

ମା’ ଜଣେ ଗୃହିଣୀ । ବାପା ମାଉସୀ ମନ୍ଦିର ଛକଠାରେ ଏକ ଛୋଟିଆ ଦୋକାନ କରି ଲୋକଙ୍କ କପଡା ଆଇରନ୍‌ କରି ନିଜ ପରିବାରର ପେଟପୋଷଣ କରନ୍ତି । ଜନ୍ମେଜୟ ସେଠ ପଞ୍ଚମ ଶ୍ରେଣୀରୁ ମେଧା ବୃତ୍ତି ପାଇ ବେଲପଡ଼ା ନବୋଦୟ ବିଦ୍ୟାଳୟରେ ପାଠ ପଢି ମାଟ୍ରିକ ପରୀକ୍ଷାରେ ୯୩.୮, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୨.୮୬ ମାର୍କ ହାସଲ କରି ଟପର ହୋଇଥିଲେ । ଏହି ସଫଳତା ପାଇବା ପରେ ତାଙ୍କୁ ଦକ୍ଷିଣା ଫାଉଣ୍ଡେସନ ପକ୍ଷରୁ ମାଗଣାରେ ଏକ ବର୍ଷ ପାଇଁ ମେଡିକାଲ କୋଚିଂ ପ୍ରଦାନ କରାଯାଇଥିଲା । ତାପରେ ନିଟ୍‌ ପରୀକ୍ଷା ଦେବା ପରେ ଜନ୍ମେଜୟ ସେଠ ଅଲ୍‌ ଇଣ୍ଡିଆ ରେଙ୍କ୍‌ ୨୭୪୩୧ ରଖି ଥିବା ବେଳେ ଅଲ୍ ଇଣ୍ଡିଆ ଏସ୍‌ସି ବର୍ଗରେ ୫୭୯ ରେଙ୍କ ହାସଲ କରିଛନ୍ତି । କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଏହାକୁ ପ୍ରମାଣ କରି ଦେଖାଇଲେ ଜନ୍ମେଜୟ । ଅନେକ ଅଭିଭାବକ କେତେ କେତେ ଖର୍ଚ୍ଚ କରି ନିଜ ପିଲାଙ୍କୁ ପାଠ ପଢ଼ାଉଛନ୍ତି, କିନ୍ତୁ ସଫଳତାର ପାହାଚ ଚଢ଼ି ପାରୁ ନାହାନ୍ତି ପିଲାମାନେ । ପିଲାଙ୍କ ଦୃଢ଼ ଇଛା ଶକ୍ତି ଏବଂ ପରିଶ୍ରମ ବଳରେ ସଫଳତା ହାସଲ ହୋଇପାରିବ ବୋଲି ପ୍ରମାଣିତ କରିଛନ୍ତି ଆଜି ଜନ୍ମେଜୟ ।

Leave A Reply

Your email address will not be published.