
- ମେଧାବୀ ଛାତ୍ରୀଙ୍କ ପାଇଁ ଏକ ଲକ୍ଷ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ । ୨୦୨୩-୨୪ ଶିକ୍ଷା ବର୍ଷରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆକୃତି ପାଣ୍ଡେ, ତୋଷନ ପ୍ରଧାନଙ୍କୁ ସ୍କୁଲ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ବିନିକା ବ୍ଲକର ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ ତାଙ୍କର ଜନ୍ମଦିନ ଅବସରରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଟଙ୍କାକୁ ତୃତୀୟ, ପଞ୍ଚମ, ଅଷ୍ଟମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ପ୍ରଦାନ କରାଯିବର ଲକ୍ଷ ରଖାଯାଇଛି । ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ ଓ ତାଙ୍କ ପତ୍ନୀ କାନ୍ତୀ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସିଆର୍ସିସି ରାଜେଶ୍ଵର ବେହେରା ପ୍ରାକ୍ତନ ବିଇଓଙ୍କ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ପ୍ରେମରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।