ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଟିଆଗୁଡାର ନିର୍ମାଣାଧିନ ବିଜୁଏକ୍ସପ୍ରେସ ରାସ୍ତାରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଗୋର୍ଲା ଗ୍ରାମ ପଞ୍ଚାୟତ ଭରୋପଡାର ଚନ୍ଦ୍ରଧ୍ୱଜ ମାଝିଙ୍କ ଝିଅ ବେଦମତୀ ମାଝି(୧୬) ଓ ଗୁରୁତର ଛାତ୍ରୀ ଜଣକ ଏହି ଗ୍ରାମର କମଳାକାନ୍ତୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଏହି ଦ୍ୱୟ ଛାତ୍ରୀ ସିନାପାଲି ମହିଳା ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଅପରାହ୍ନ ୩ଟା ସମୟରେ ଚଟିଆଗୁଡାରେ ଏକ ଟ୍ରକ ସିଜି୦୪ଏମଜି୮୮୦୮ ଦୁଇ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ଫଳରେ ଜଣେ ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଛାତ୍ରୀଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଡ୍ରାଇଭର ଟ୍ରକକୁ ସିନାପାଲି ବ୍ଲକ ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ଛାଡି ଫେରାର ହୋଇଥିଲା । ବର୍ତମାନ ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡିଛି । ଅନ୍ୟପକ୍ଷରେ କ୍ଷତିପୁରଣ ଦାବୀରେ ପରିବାର ଲୋକେ ଘଟଣାସ୍ଥଳରେ ଶବ ରଖି ରାସ୍ତା ରୋକ କରିଥିଲେ । ଘଟଣାସ୍ଥଳରେ ପୋଳିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.