ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ମହାନଦୀ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁଯାୟୀ ରେଢ଼ାଖୋଲ ପଟରୁ ବୌଦ୍ଧ ଆଡକୁ ଦୃତ ଗତିରେ ଆସୁଥିବା ଏକ କାର ସହ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ ଓ ସ୍କୁଟି ସହ ବୌଦ୍ଧ ମହାନଦୀ ସେତୁ ଉପରେ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବାଇକ ଆରୋହୀ ଏବଂ କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ବୁର୍ଲା ସ୍ଥାନାନ୍ତରିତ ବେଳେ ବାଟରେ ଅନ୍ୟ ଏକ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।