ସଡ଼କ ସୁରକ୍ଷା ସପ୍ତାହ : ଜୀବନ ବଞ୍ଚିବା କୌଶଳ ଶିଖାଇଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଞ୍ଚଳିକ ପରିବହନ ପ୍ରାଧିକରଣ ସୁବର୍ଣ୍ଣପୁରଙ୍କ ଆନୁକୁଲ୍ୟରେ ଏବଂ ଜୁନିଅର ରେଡକ୍ରସ ଯୁନିଟର ସହଯୋଗ କ୍ରମେ ସୁବର୍ଣ୍ଣପୁର ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜୀବନ ବଞ୍ଚିବା କୌଶଳ ତଥା ରକ୍ଷକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ମୋଟରଯାନ ନିରୀକ୍ଷକ ବିଶ୍ୱରଞ୍ଜନ ସାହୁଙ୍କ ନିର୍ଦ୍ଦେଶନାରେ ସୁବର୍ଣ୍ଣପୁର ବସଷ୍ଟାଣ୍ଡଠାରେ ଅଟୋ ଚାଳକ, କାର ଚାଳକ, ବସ ଚାଳକ, ବିଭିନ୍ନ ଦୋକାନୀ, ଏବଂ ବସ ଯାତ୍ରୀମାନଙ୍କୁ ସଡ଼କ ଦୁର୍ଘଟଣାର ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତି ହେବାପାଇଁ ତାଲିମ ପ୍ରଦାନ କରାଯାଇ ଥିଲା । ସୋଲାସିୟମ ଫଣ୍ଡ, ଗୁଡ୍ ସମରିଟାନ ନିୟମ, ଆହତ ବ୍ୟକ୍ତିଙ୍କୁ ବୋହିବା ପ୍ରଣାଳୀ, ଜରୁରୀ ଫୋନ ନମ୍ବର ୧୧୨, ବ୍ୟାଣ୍ତେଜ, ରାସ୍ତାର ସଙ୍କେତ, ମୂର୍ଚ୍ଛା ହୋଇଯାଇଥିଲେ ଚେତା ଫେରି ପାଇବା ପ୍ରଣାଳୀ, ଫେଣ୍ଟିଙ୍ଗ, ଚୋକିଙ୍ଗ, ରକ୍ତସ୍ରାବ ବନ୍ଦ କରିବା ପ୍ରଣାଳୀ, ଆରମ ଦାୟକ ଅବସ୍ଥା, ହୃତପିଣ୍ଡ ଓ ଫୁସ୍‌ଫୁସ୍‌କୁ ପୁନଃ ଚାଳନ କରିବା ପାଇଁ ସିପିଆର ପ୍ରଦାନ ପ୍ରଭୃତି ଶିକ୍ଷା ଦିଆଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁରର ଜୁନିଅର ରେଡକ୍ରସ ଅଫିସର ତଥା ମାୟାବର୍ହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ସଂଯୋଜନା କରିଥିବା ବେଳେ ଜୁନିଅର ରେଡକ୍ରସ ପରାମର୍ଶ ଦାତା ତଥା ରକ୍ଷକର ମାଷ୍ଟର ଟ୍ରେନର ସୁବଳୟା ଉଚ୍ଚ ବିଦ୍ୟାଳୟର ଚନ୍ଦ୍ରମଣୀ ବାଘ, ଖରଜୁରା ଉଚ୍ଚ ବିଦ୍ୟାଳୟର ଚନ୍ଦ୍ର ଶେଖର ମହାପାତ୍ର, ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋପେଶ ପଣ୍ଡା, ଓ ପଣକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତପସ୍ଵିନୀ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଘରୋଇ ବସ ମାଲିକ ସଂଘର ସଭାପତି ପୁରୁଶୋତ୍ତମ ପାଣିଗ୍ରାହୀ ସହ ଯୋଗାଯୋଗ କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ଚିତ୍ତରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.