- ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶୂନ୍ୟ ମୃତ୍ୟୁକୁ ଗୁରୁତ୍ୱାରୋପ
- ସଡ଼କ ସୁରକ୍ଷା ନିୟମର କଡାକଡି ପାଳନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ସପ୍ତାହ ବ୍ୟାପୀ ଜିଲ୍ଲାର ସମସ୍ତ ୬ଟି ଯାକ ବ୍ଲକର ବିଭିନ୍ନ ଗ୍ରାମ ତଥା ସହର ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବ । ତତ୍ସଙ୍ଗେ ଲୋକମାନଙ୍କୁ ଟ୍ରାଫିକ ସମ୍ବନ୍ଧୀୟ ନିୟମର ପ୍ରଚାର ପତ୍ରିକା ବଣ୍ଟନ କରାଯିବ । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଶଳ ଆବାସିକ ବିଦ୍ୟାଳୟ ସୋନପୁରର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁବର୍ଣ୍ଣପୁରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସଚେତନତା ରଥ ଓ ଶୋଭାଯାତ୍ରାକୁ ସହର ପରିକ୍ରମା କରାଇଥିଲେ । ତା ୦୧ ଡିସେମ୍ବର ରୁ ତା ୦୭ ଡିସେମ୍ବର ମଧ୍ୟରେ ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ପାଇଁ ସମସ୍ତ ଜିଲ୍ଲାବାସୀ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀ ରାୟ ପରାମର୍ଶ ଦେଇଛନ୍ତି । ତତ୍ସହ ଏହି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ବିଭାଗୀୟ ଦାୟିତ୍ୱର ସୁପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁରଙ୍କୁ ପରାମର୍ଶ ଦେଇଛନ୍ତି ।