- ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକୁ ନିଷେଧ କରିବା ଉଦେଶ୍ୟରେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା ରଥକୁ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ସହିତ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଶ୍ରମିକ ନିୟୋଜନ ଉପରେ ସଚେତନତା କରାଇବ । ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଇବା ଉଦେଶ୍ୟରେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆଜିଠାରୁ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାକା ସୂଚନା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ଆସନ୍ତା ୩ ତାରିଖରେ ଏକ ସଚେତନତା ଶୋଭାଯାତ୍ରା ସହ ଶପଥ ପାଠ ସମାରୋହ ଅନୁଷ୍ଠିତ ହେବ । ପୁନଶ୍ଚ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ସହଯୋଗରେ ଶିଶୁ ଶ୍ରମ ନିଷେଧ ଉପରେ ସଚେତନତା ବୈଠକ ଅନୁଷ୍ଠିତ ସହ ଶିଶୁ ସୁରକ୍ଷାକୁ ଅଧିକ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ଚଢ଼ାଉ ତଥା ଶିଶୁ ଉଦ୍ଧାର କାର୍ଯ୍ୟକ୍ରମ କରିଯିବା ଉପରେ ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ଚଉଦ ବର୍ଷ ପୂରଣ କରିନଥିବା ଶିଶୁଙ୍କୁ କାର୍ଯ୍ୟରେ ନିଯୁକ୍ତି କରିବା ଦଣ୍ଡନୀୟ ଅପରାଧ ଅଟେ । ପୁନଶ୍ଚ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନ ଅନୁଯାୟୀ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ଆଜି ଅନୁଷ୍ଠିତ ଶୁଭାରମ୍ଭ ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଡିସିପଓ ଚତୁର୍ଭୁଜ ଦାଶ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମ ବିଭାଗର କର୍ମଚାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।