ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ଥିବା ବୈପାରିଗୁଡା ବ୍ଲକର ରାମଗିରି ବନାଞ୍ଚଳ ଅଧିନରେ ଥିବା ବାବା ଗୁପ୍ତେଶ୍ୱର ଶୈବପୀଠରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାମଗିରି ରେଞ୍ଜ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ସମସ୍ତ କର୍ମଚାରୀ ଗୁପ୍ତେଶ୍ୱର ପୀଠରେ ପହଞ୍ଚି ଭକ୍ତ ଓ ସାଧାରଣ ଜନତାଙ୍କୁ ସଚେତନତା କରାଇବା ସହିତ ପ୍ଲାଷ୍ଟିକ ବ୍ୟବହାରରେ କଣ କୁପ୍ରଭାବ ପଡେ ସେହି ବିଷୟକୁ ନେଇ ସଚେତନତା କରାଇଥିଲେ । ପ୍ରତିଦିନ ଏହି ଶୈବପୀଠକୁ ଲକ୍ଷାଧିକ ଲୋକ ଆସୁଥିବାରୁ ସେମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ପାଠ କରାଇଥିଲେ । ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଓ ପର୍ଯ୍ୟଟକମାନେ ଆସୁଥିବାର ନଜରରେ ଆସିଛି । ସ୍ଥାନୀୟ ଦୋକାନ ବେପାରୀ ଓ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପୁନଃ ଉପଯୋଗୀ ହୋଇପାରୁନଥିବା ପ୍ଲାଷ୍ଟିକ ଉପକରଣ ବ୍ୟବହାର ନକରିବା ସହ ବଣଭୋଜି ଖାଇବାକୁ ପ୍ଲାଷ୍ଟିକ ବ୍ୟବହାର ବଦଳରେ ସହଜରେ ପଚିଯାଉଥିବା ଜୈବିକ ପଦାର୍ଥ ଯେପରି ମକା ଷ୍ଟାର୍ଚ, ଆଖୁ ସେଲୁଲୋଜ୍ ଏବଂ ସୋୟା ପ୍ରୋଟିନରୁ ତିଆରି ବ୍ୟାଗ ବଣ୍ଟନ କରିଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ସିରିବେଡା, ଗାଦବାଗୁଡା, ଓଇମାରିଗୁଡା ଓ ମାଳିପଦର ଭିଏସଏସ୍ ସଦସ୍ୟମାନଙ୍କ ସହିତ ବନପାଳ ସୁଶାନ୍ତ ବଡଜେନା, ବ୍ରଜରାଜ ରଣ୍ଡାରୀ, ବନରକ୍ଷୀ ସିପ୍ସା ଦାସ ଓ ପାରା କର୍ମଚାରୀ ଉପସ୍ଥିତ ରହିଥିଲେ ।