ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଦାର୍ଜିଂ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଏସ୍ପିସିବିର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ବିଦ୍ୟା ଷ୍ଟଡି ପଏଣ୍ଟର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ସେଠାରେ ବଣଭୋଜି କରୁଥିବା ଦଳ ମାନଙ୍କୁ ସଚେତନତା କରାଯାଇଥିଲା । ଏସ୍ପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ରଜତ କୁମାର ସେଠି ଯୋଗ ଦେଇ ଦାର୍ଜିଂ ପିକନିକ୍ ପରିସରରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିଭବ ଭରା ତଥା ବ୍ଲୁଷ୍ଟୋନ ଭାବେ ପରିଚିତ ଦାର୍ଜିଂ ପିକନିକ୍ ଅଞ୍ଚଳ ଓ କୁଳୁକୁଳୁ ନାଦରେ ବହିଯାଉଥିବା ବ୍ରାହ୍ମଣୀ ନଦୀରେ ବର୍ଜ୍ୟବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା । ପିକନିକ୍ ସ୍ଥଳ ଭାବେ ସୁପରିଚିତ ଦାର୍ଜିଂର ସ୍ୱଚ୍ଛତା ବାଜୟୀ ରଖିବାକୁ ଆହ୍ୱାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟା ଷ୍ଟଡି ପଏଣ୍ଟର ମୁଖ୍ୟ ସରୋଜ ବେହେରା, ଅଧ୍ୟାପିକ ଡ଼. ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଓ ଏସ୍ପିସିବିର ଏଫ୍.ଏ ମନୋଜ କୁମାର ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀଗଣଙ୍କ ସହ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।