ଆର୍‌. ବି. ଆଇ. ତରଫରୁ ମଦନପୁର ଗ୍ରାମ ପଞ୍ଚାୟତରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

ମ. ରାମପୁର, (ପି. କେ. ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମ. ରାମପୁର ବ୍ଲକର ମଦନପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ମଦନପୁର ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ କେତକୀ ଦଣ୍ଡିଆ, ମଦନପୁର ଗ୍ରାମପଞ୍ଚାୟତ, ଆଇ. ଆଇ. ଏଫ୍‌. ଏଲ୍‌. ବ୍ୟାଙ୍କ ପରିଚାଳକ ସୁନିଲ କୁମାର ପଧାନ, ମହିଳା ମହାସଙ୍ଗର ସଭାନେତ୍ରୀ ସିମନ୍ତିନୀ କପାଟ, ସମ୍ପାଦିକା ଶ୍ରୀମତୀ କଳ୍ପନା ଦଣ୍ଡସେନା ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତାର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନ୍‌ରେ ନିଜର କୌଣସି ଗୋପନୀୟ ତଥ୍ୟ ନଦେବାପାଇଁ ସୂଚନା ଦିଆଯାଇଥିଲା । ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ । ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ, ସୁନିଲ କୁମାର ପଧାନ ଓ ପ୍ରମୋଦ କୁମାର ମୁଗ୍ରି ତାଲିମ୍ ପ୍ରଦାନ କରିଥିବାବେଳେ, କର୍ମଶାଳାରେ ବିଭିନ୍ନ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ସହାୟିକା, ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀରୁ ୬୪ ଜଣ ସଦସ୍ୟା ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!