
ଭବାନୀପାଟଣା : ସଂପ୍ରତି କରୋନା ମହାମାରୀ ଯୋଗୁଁ ଅନେକ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି ଅନ୍ୟ କାର୍ଯ୍ୟରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଡ୍ରପ୍ଆଉଟ୍ ହାର ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି । ସେହି ପିଲାମାନଙ୍କୁ କେମିତି ପୁନଃ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିହେବ, ଏହାକୁ ଦୃଷ୍ଟିରେ ରଖି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି କଳାହାଣ୍ଡି ଶିକ୍ଷା ବିଭାଗ । ଅଭିଭାବକ ଓ ପିଲାଙ୍କୁ ସଚେତନ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ସ୍ଥାନୀୟ ଅଟାଙ୍ଗଗୁଡ଼ା ହାଇସ୍କୁଲ ପରିସରରେ ଫିଲ୍ମ ‘ଇସ୍କୁଲ୍ ଡାକୁଛେ ଆ’ର ମହୁରତ୍ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ପ୍ରଧାନଶିକ୍ଷକ ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଫିଲ୍ମରେ ଜଣେ ଶିକ୍ଷକ କିଭଳି ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ୍କୁ ଫେରାଇ ଆଣୁଛନ୍ତି, ତାହା ପ୍ରାଂଜଳ ଭାବେ ଦର୍ଶାଯାଇଛି । ସମଗ୍ର ଜିଲ୍ଲାର ଶିକ୍ଷକମାନଙ୍କ ମାଧ୍ୟମରେ ଏହି ଫିଲ୍ମ ଜନସାଧାରଣଙ୍କୁ ଡିଜିଟାଲ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ, ଯାହା ଡ୍ରପ୍ଆଉଟ୍ ହ୍ରାସରେ ସହାୟକ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ଏହାର ରଚନା ଓ ନିର୍ଦ୍ଦେଶନା ଦେଉଛନ୍ତି ନାଟ୍ୟକାର ତଥା ଶିକ୍ଷକ ବିରଂଚି ନାରାୟଣ ମୁଣ୍ଡ, ଯୁବ ଲେଖକ ତଥା ସରିଆଁ ସିଆର୍ସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ଏବଂ ଯୁବ ଲେଖକ ତଥା ଶିକ୍ଷକ ଡିଲେଶ୍ୱର ରଣା । ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ବାପୁଜୀ ସିଆର୍ସିସି ମିନତୀ କୁମାରୀ ପ୍ରଧାନ, ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଭୋଇ, ବିରଂଚି ନାରାୟଣ ମୁଣ୍ଡ, ଛାତ୍ର ଆୟୁଷ ପାତ୍ର, ଛାତ୍ରୀ ମେଘା ସ୍ୱାଇଁ ପ୍ରମୁଖ । ଡିଲେଶ୍ୱର ରଣା ଓ ସୁଧୀର ଧଙ୍ଗଡ଼ାମାଝୀଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଚିନ୍ମୟୀ ବୈଠାରୁ ଓ ବନ୍ଧପାରୀ ସିଆର୍ସିସି ତ୍ରିନାଥଶ୍ୟାମ କୁମାର କଣ୍ଠଦାନ କରିଛନ୍ତି । ଏଥିରେ ଶିକ୍ଷକ ଯୁଗେଶ୍ୱର ମାଝୀ, ଶିକ୍ଷୟିତ୍ରୀ ଲୀନା ଦାସ ତଥା ଅଟାଙ୍ଗଗୁଡ଼ା ଗ୍ରାମବାସୀ ସହଯୋଗ କରିଛନ୍ତି ।