- ଶପଥ ଗ୍ରହଣରୁ ଆରମ୍ଭ ହେଲା କାର୍ୟ୍ୟକ୍ରମ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : କେନ୍ଦ୍ରୀୟ ଓ ରାଜ୍ୟ ଦୁର୍ନୀତି ନିବାରଣ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମଗ୍ର ରାଜ୍ୟରେ
୩୦ ଅକ୍ଟୋବରରୁ ୦୫ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ଏହି ଅବସରରେ ସମଗ୍ର ଜିଲ୍ଲାରେ ଦୁର୍ନୀତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସପ୍ତାହ ପାଳନ ଅବସରରେ ଶପଥ ପାଠ କରାଇଥିଲେ । ଏହି କ୍ରମରେ ଆଜି ଉଲୁଣ୍ଡା ବ୍ଲକର ଓସ୍ୱାନ୍ ହଲରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ତଥା ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ପରେ ପରେ ଆଜି ଅନୁଷ୍ଠିତ ଉଲୁଣ୍ଡା ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରାୟ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଉପସ୍ଥିତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଅଙ୍ଗୀକାରବଦ୍ଧତା ସ୍ଵରୁପ ଶପଥ ପାଠ କରାଇଥିଲେ । ସେହିପରି ଉକ୍ତ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶପଥ ପାଠ ସମାରୋହରେ ଓସ୍ୱାନ୍ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଅଂଜଳିନା ପଧାନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଏଥିରେ ଯୋଗଦାନ କରି ଦୁର୍ନୀତି ମୁକ୍ତ ସମାଜ ଗଠନ ନିମନ୍ତେ ଶପଥ ପାଠ କରିଥିଲେ । ଏଥିରେ ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ୦୪ ତାରିଖରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହେବ । ଏହା ସହିତ ସମସ୍ତ ଉପଖଣ୍ଡ ଓ ବ୍ଲକମାନଙ୍କରେ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।