jayashree

ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା ଓ ଅନ୍ୟାନ୍ୟ ଦାବୀରେ କୋଏଲନଗରଠାରେ ଆଲୋଚନା ସଭା : ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା ଓ ଅନ୍ୟାନ୍ୟ ଦାବୀରେ କୋଏଲନଗର ଠାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମତ ପ୍ରକାଶ ପାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଉରକେଲାରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଦେଶର ଟିକସଦାତାଙ୍କ ୪ ଶହ କୋଟି ଟଙ୍କାରେ ଏହି ହସ୍ପିଟାଲ ତିଆରି କରାଗଲା । କିନ୍ତୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶୃତି ମେଡିକାଲ କଲେଜ ହେଲାନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଛି । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ଜନସାଧାରଣ ଆଶା ବାନ୍ଧିଥିଲେ ସେମାନେ ଏହି ସୁପର ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସିତ ହେବେ ଏବଂ ସେମାନଙ୍କ ଛୁଆମାନେ ଏହି ମେଡିକାଲ କଲେଜରେ ପାଠ ପଢିପାରିବେ । କିନ୍ତୁ ଲୋକଙ୍କ ସେ ସ୍ଵପ୍ନ କେବଳ ସ୍ଵପ୍ନରେ ରହିଗଲା । ଆଜି ଲୋକଙ୍କୁ ଦିନ ଦ୍ୱିପହରରେ ବିଶ୍ୱାସଘାତକତା କରି ୪ ଶହ କୋଟି ଟଙ୍କାରେ ନିର୍ମିତ ଏହି ହସ୍ପିଟାଲକୁ ଏକ ବ୍ୟବସାୟିକ ସଂସ୍ଥା ଆପୋଲୋକୁ ଟେକି ଦିଆଗଲା । ଏହାର ପ୍ରତିବାଦ କରିବାକୁ କେହି ନାହାନ୍ତି ବୋଲି ସଭାରେ ଆଲୋଚନା ହୋଇଛି । ରାଉରକେଲା ନାଗରିକ ସୁରକ୍ଷା କମିଟି ଏହି ପ୍ରତାରଣା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି । ରାଉରକେଲା ବନ୍ଦର ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ପଦଯାତ୍ରା, ପଥପ୍ରାନ୍ତ ସଭା, ରାଉରକେଲା ରିଙ୍ଗ ରୋଡରେ ବିଶାଳ ମାନବ ଶୃଙ୍ଖଳ କରାଯାଇଛି । ରାଉରକେଲା ନାଗରିକ ସୁରକ୍ଷା କମିଟିର ନିଷ୍ପତ୍ତି ଅନୁଯାୟୀ ସହରର ବିଭିନ୍ନ ସ୍ଥାନରେ ଜନ ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିବା ବେଳେ କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଅଫିସ ପ୍ରାଙ୍ଗଣରେ ଅନୁଷ୍ଠିତ ଆଲୋଚନା ସଭାରେ ସଂଘର ସଭାପତି ଇଂଜିନିୟର ଅଭୟ ଦାସ ଅଧ୍ୟକ୍ଷତା କରିଥିଲେ । ଆଲୋଚନା ସଭାରେ ରାଉରକେଲା ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି କହିଥିଲେ ଯେ ରାଉରକେଲାର ବିକାଶ ପାଇଁ ସମସ୍ତେ ଚିନ୍ତା କରିବାର ଆବଶ୍ୟକତା ରହିଛି ଏବଂ ଆମେ ସମସ୍ତେ ନିଜକୁ ଗର୍ବିତ ଅନୁଭବ କରିବା ଦରକାର ଯେ ଆମେ ସମସ୍ତେ ରାଉରକେଲାର ବାସିନ୍ଦା । କେବଳ ସୁରକ୍ଷା କମିଟିର ଦାୟିତ୍ଵ ନୁହେଁ ରାଉରକେଲାର ବିକାଶ ପାଇଁ ଆନ୍ଦୋଳନ କରିବା, ରାଉରକେଲାକୁ ସମସ୍ତେ ହୃଦୟ ସହିତ ଭଲ ପାଇବା ଦରକାର । ଏଭଳି ଏକ ଅନ୍ୟାୟ ବିରୁଦ୍ଧରେ ଜିଲ୍ଲାବ୍ୟାପୀ ପ୍ରତିବାଦ ହେବାର ଆବଶ୍ୟକତା ରହିଛି । ତାଳଚେର-ବିମଳାଗଡ ରେଳପଥ ଆନ୍ଦୋଳନର ୬୦ ବର୍ଷ ପରେ ମଧ୍ୟ ରେଳପଥ ହୋଇପାରିଲା ନାହିଁ, ରାଉରକେଲାରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପଦକ୍ଷେପ ନେବା ଦରକାର । ଏହି ଆଲୋଚନା ସଭାରେ ପ୍ରମୁଖ ସଦସ୍ୟ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସଂଜୀବ ମହାନ୍ତି, ଅଜିତ ନାୟକ, ଆଇନଜୀବୀ ରାଜ କିଶୋର ପ୍ରଧାନ, ଗଣେଶ ପ୍ରଧାନ, କୋଏଲନଗରର ବରିଷ୍ଠ ନାଗରିକ ସାହିତ୍ୟିକ ବ୍ରଜେନ୍ଦ୍ର ଦାସ, ଚାନ୍ଦମଣି ବେହୁରା, ବିଶ୍ଵନାଥ ପଟ୍ଟନାୟକ, କୃତିବାସ ମହାପାତ୍ର, କାଳୁଚରଣ ମହାରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବୈଠକ ପ୍ରାରମ୍ଭରେ କମିଟିର ସଦସ୍ୟ ସୁରେନ୍ଦ୍ର ଦାଶ ବୈଠକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ନିଷ୍ପତ୍ତି ଅନୁଯାୟୀ ଏହି ଦାବୀରେ ଆଗାମୀ ଦିନରେ ରାଉରକେଲା ଜନସାଧାରଣଙ୍କୁ ଏକଜୁଟ କରି ବ୍ୟାପକ ଆନ୍ଦୋଳନ ସଂଗଠିତ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ସଂସଦ ଅଧିବେଶନ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ରେଳ, ସ୍ୱାସ୍ଥ୍ୟ ଓ ଇସ୍ପାତ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରାଯିବ । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରତି ହେଉଥିବା ଅବହେଳା ବିରୋଧରେ ଏବଂ ଉପରୋକ୍ତ ଦାବୀ ହାସଲ ପାଇଁ ରାଉରକେଲା ଜନସାଧାରଣ ସାମିଲ ହେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସଭାରେ କମିଟିର ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଗଗନ ବିହାରୀ ଧଳ, ପିତାମ୍ବର ନାୟକ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଅନିରୁଦ୍ଧ ଦାସ, ଏନ୍ ସି ସାମଲ, ବସନ୍ତ ମହାନ୍ତି, ବିଶ୍ଵନାଥ ଲେଙ୍କା, ପ୍ରମୋଦ ପରିଡ଼ା, ମଧୁ ମହାରଣା, ସୁରେଶ ଜେନା, କେ ବି ମହାପାତ୍ର ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.