ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତା ୧୨-୧୨-୨୦୨୫ ଶୁକ୍ରବାର ସିଆର୍ସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି । ପ୍ରକାଶ ଯୋଗ୍ୟ ଯେ, ଗତ ଗ୍ରୀଷ୍ମ ଅବକାଶରେ ଶିକ୍ଷକମାନେ ଘରକୁ ଘର ଯାଇ ଚାଇଲଡ ଟ୍ରେକିଙ୍ଗ ସର୍ଭେ କରିଥିଲେ । ସେହି ସର୍ଭେ ଅନୁସାରେ ନଅଗାଁ-କ ପଂଚାୟତର ୧୭ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ଚିହ୍ନଟ ହୋଇଥିବା ସୂଚନାରୁ ପ୍ରକାଶ । ସେହି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର “ଆସ ଆମେ ସ୍କୁଲଯିବା” କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏସ.ଆଇ.ଓ.ଏସ. ତଥା ଏନ.ଆଇ.ଓ.ଏସ. ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ କରିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଆଇଟିଆଇ ଭଳି ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇ ଅଧାରୁ ପାଠ ଛାଡୁଥିବା ପିଲା ଉପକୃତ ହୋଇପାରିବେ । ଏସ.ଆଇ.ଓ.ଏସ.ରେ ଏ ପର୍ଯ୍ୟନ୍ତ ତିନି ଜଣ ନାମ ଲେଖିଛନ୍ତି । କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିରେଶ୍ୱର ଦୀପ ସଭାପତିତ୍ୱ କରିଥିଲା ବେଳେ ଅତିଥିଭାବେ ସରପଞ୍ଚଙ୍କ ପ୍ରତିନିଧି ଭାବେ ୱାର୍ଡ ମେମ୍ବର ବ୍ରଜ ସେଠ୍, ମୁଖ୍ୟ ଅତିଥି ଅରୁଣ କୁମାର ଦାଶ, ସମ୍ମାନିତ ଅତିଥି ଚିତ୍ତରଞ୍ଜନ ବେହେରା, ପ୍ରଦୀପ କୁମାର ଦେବତା, ବାଲେଷ୍ଟର ମେହେର, ଲକ୍ଷ୍ମୀକାନ୍ତ ସାହୁ, ସୁଦୀପ୍ତ ପ୍ରଧାନ, କିଶୋର ଚନ୍ଦ୍ର ବର୍ଗେ ପ୍ରମୁଖ ଉପସ୍ଥିତ ରହି ଡ୍ରପଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ ସଫଳ କାହାଣୀମାନ ଉପସ୍ଥାପନ କରିଥିଲେ । ସ୍ଥାନୀୟ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଗ୍ରାମବାସୀ ତଥା ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଲକ୍ଷ୍ମୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।